ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୦୦୮ରେ ପହଞ୍ଚିଲାଣି

ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶ ବର୍ତ୍ତମାନ କରୋନା ରୋଗରେ ବେହାଲ ହୋଇଛି। ଏଥିରେ ଭାରତରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରିଛି। ଏହି ପରିପ୍ରେକ୍ଷୀରେ ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାରକୁ ଛୁଇଁଲାଣି। ସ୍ଵାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୮୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦୦୮ ଜଣଙ୍କର ମୃତ୍ୟୁ ଘଟିଲାଣି। ସେହିପରି ଏଯାଏଁ ୭ ହଜାର ୭୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।

ଦେଶରେ ଏବେ ଆକ୍ଟିଭ୍ କେସ୍ ସଂଖ୍ୟା ୨୨ ହଜାର ୯୮୨ ରହିଛି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି କି, ଗତ ୧୫ ଦିନ ମଧ୍ୟରେ ଦେଶରେ ୨୫ଟି ରାଜ୍ୟରେ ହଟସ୍ପଟ ଜିଲ୍ଲା ସଂଖ୍ୟା ୧୭୦ରୁ ହ୍ରାସ ପାଇ ୧୨୯ ହୋଇଯାଇଛି।

ସେପଟେ ଏହି ମହାମାରୀ ଭୂତାଣୁରେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରେ ହୋଇଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ନିକଟତର ହେଲାଣି। ସେହିପରି ଗୁଜୁରାଟରେ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ପାର କଲାଣି।