ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ପାଇଁ ଖୁସି ଖବର ଆସିଛି। ଗତ ୩ ଦିନରେ ରାଜ୍ୟରେ ଯେତିକି ନମୂନା ପରୀକ୍ଷା କରାଯାଇଛି ସବୁ ନେଗେଟିଭ ଆସିଛି। ଯାହା ରାଜ୍ୟବାସୀଙ୍କ ମନରେ କରୋନା ଭୟ ସାମାନ୍ୟ ଦୂର କରିଛି। ସାରା ବିଶ୍ୱରେ ମହାମାରୀ କରୋନାକୁ ନେଇ ଆତଙ୍କ। ଆମ ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ ମଧ୍ୟ ଦ୍ରୁତ ବୃଦ୍ଧି ପାଉଛି। ତେବେ ଓଡ଼ିଶାରେ ଗତ ତିନି ଦିନରେ ଜଣେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି। ଏହି ତିନି ଦିନରେ ପରୀକ୍ଷା ହୋଇଥିବା ସମସ୍ତ ନମୂନା ନେଗେଟିଭ୍ ଆସିଛି। ସେହିପରି ଓଡିଶା ପାଇଁ ପୁଣି ଭଲ ଖବର ଆସିଛି।
ରାଜ୍ୟରେ ଆଉ ୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଉଭୟ ଆକ୍ରାନ୍ତ ଭୁବନେଶ୍ୱରର। ତେବେ ୨ ଆକ୍ରାନ୍ତଙ୍କ ନମୂନା ପରୀକ୍ଷା ପରେ ନେଗେଟିଭ ଆସିଥିଲା। ନମୂନା ନେଗେଟିଭ ଆସିବା ପରେ ଉଭୟ ହସ୍ପିଟାଲରୁ ଘରକୁ ଫେରିଥିବା ଜଣାପଡିଛି । ଟୁଇଟ କରି ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଭୁବନେଶ୍ୱରର ଏହି ୨ ଆକ୍ରାନ୍ତ ସୁସ୍ଥ ହେବା ପରେ ବର୍ତ୍ତମାନ ଓଡିଶାର ମୋଟ ସୁସ୍ଥଙ୍କ ସଂଖ୍ୟା ୨୧ ରେ ପହଞ୍ଚିଛି । ପୂର୍ବରୁ ୧୯ ଜଣ ସୁସ୍ଥ ଥିବା ବେଳେ ଆଜି ୨ ଜଣ ସୁସ୍ଥ ହୋଇଛନ୍ତି।
୧୫ ତାରିଖ ରାଜ୍ୟରେ ମୋଟ ୧,୧୯୭ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା। ୧୬ ତାରିଖରେ ୮୪୩ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଥିଲା। ସେହିପରି ଗତକାଲି ୧,୦୪୨ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଆଉ ଏ ସବୁ ପରୀକ୍ଷାର ରିପୋର୍ଟ ନେଗେଟିଭ୍ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଆଜି ସୁଦ୍ଧା ରାଜ୍ୟରେ ମୋଟ ୮,୬୧୯ନମୂନା ଟେଷ୍ଟ ହୋଇଛି। ସେଥିମଧ୍ୟରୁ ୮,୫୫୯ ନେଗେଟିଭ୍ ଆସିଛି। ୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୩୮ ଜଣ ବିଭିନ୍ନ ମେଡିକାଲ୍ରେ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।