ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ ଏବେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି। ତେବେ କୋରୋନା ସଂକ୍ରମଣ ଯେପରି ଅଧିକରୁ ଅଧିକ ନବ୍ୟାପେ ସେଥିପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ କୋଭିଡ-୧୯ ଟେଷ୍ଟ କରିବାକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଏହି ରୋହିଙ୍ଗ୍ୟାଙ୍କ ମଧ୍ୟରୁ ବହୁ ମୁସଲମାନ ନିଜାମୁଦ୍ଦିନ ସ୍ଥିତ ତବଲିଗୀ ଜମାତ ମରକଜରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଜାତୀୟ ଗଣମାଧ୍ୟମକୁ ନିଜ ନାମ ଗୋପନ ରଖି ଜଣେ ଅଧିକାରୀ କହିଛନ୍ତି, ତବଲିଗି କାର୍ଯ୍ୟକ୍ରମରେ ଅନେକ ମୁସଲମାନ ସାମିଲ ହୋଇଥିଲେ ଏବଂ ସେମାନେ କରୋନା ଭାଇରସ ସଂକ୍ରମଣ ହୋଇଥିବାର ଆଶଙ୍କା କରାଯାଉଛି । ମନ୍ତ୍ରାଳୟ କହିଛି, ହାଇଦ୍ରାବାଦର ଶିବିରରେ ରହୁଥିବା ରୋହିଗ୍ୟା ହରିୟାଣାର ମେୱାତରେ ଆୟୋଜିତ ତବଲିଗି ଜମାତର କାର୍ୟ୍ୟକ୍ରମରେ ସାମିଲ ହେବାକୁ ଆସିଥିଲେ ଓ ସେମାନେ ଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ମରକାଜକୁ ଆସିଥିଲେ ।
ଏହିଭଳି ଭାବେ ଦିଲ୍ଲୀର ଶ୍ରମବିହାର ଶାହିନବାଗ ଅଞ୍ଚଳରେ ବସବାସ କରୁଥିବା ରୋହିଗ୍ୟା ମଧ୍ୟ ତବଲିଗି କାର୍ଯ୍ୟକ୍ରମକୁ ଯାଇଥିଲେ । କିନ୍ତୁ ସେମାନେ ଶିବିରକୁ ଫେରି ନଥିଲେ । ମନ୍ତ୍ରାଳୟ ପକ୍ଷରୁ କୁହାଯଇଛି ଯେ, ପଂଜାବର ଡେରାବସ୍ସି ଓ ଜମ୍ମୁ କଶ୍ମୀରର ଜମ୍ମୁ ଅଞ୍ଚଳରେ ରୋହିଗ୍ୟା ମୁସଲିମ ରହୁଛନ୍ତି ଏବଂ ସେମାନେ ତବଲିଗି ଜମାତ କାର୍ୟ୍ୟକ୍ରମରେ ସାମିଲ ହୋଇ ଫେରିଛନ୍ତି । ରାଜ୍ୟକୁ ଦିଆଯାଇଥିବା ଆଦେଶରେ ଗୃହ ମନ୍ତ୍ରାଳୟ କହିଛି ଯେ, ରୋହିଗ୍ୟା ମୁସଲମାନ ଓ ସେମାନଙ୍କର ସଂପର୍କରେ ଆସିଥିବା ଲୋକଙ୍କର କୋଭିଡ-୧୯ ପରୀକ୍ଷା କରାଯିବା ଜରୁରୀ । କେନ୍ଦ୍ର ଗୃହ ମନ୍ତ୍ରାଳୟ କହିବା ଅନୁସାରେ ଦେଶରେ ୪୦ ହଜାର ରୋହିଗ୍ୟା ଦିଲ୍ଲୀ, ଜମ୍ମୁ ଓ ହାଇଦ୍ରାବାଦ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ରହୁଛନ୍ତି ।