୭୦ ବର୍ଷର ଅପେକ୍ଷା ପରେ ଦେଶପାଇଁ ବଡ଼ ସଫଳତା ଆଣିଛି ଓଏନଜିସି – ଧର୍ମେନ୍ଦ୍ର ପ୍ରଧାନ

କୋଲକତା/ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ୱାଧୀନତାର ୭୦ବର୍ଷର ଅପେକ୍ଷା ପରେ ତୈଳ ଓ ଗ୍ୟାସ ଅନ୍ୱେଷଣ ଏବଂ ଉତ୍ତୋଳନ ରାଷ୍ଟ୍ରାୟତ କମ୍ପାନୀ ଓଏନଜିସି ଦେଶପାଇଁ ବଡ଼ ସଫଳତା ଆଣିଛି ବୋଲି ରବିବାର ପଶ୍ଚିମବଙ୍ଗର ଅଶୋକନଗର ଠାରେ ଓଏନଜିସିର ଅଷ୍ଟମ ଉତ୍ପାଦନ ବେସିନ୍ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେହିପରି ଆଜିର ଉଦଘାଟନ ଉତ୍ସବ ପଶ୍ଚିମବଙ୍ଗର ବିକାଶ ଓ ଅଭିବୃଦ୍ଧି ପାଇଁ ନୂଆ ସମ୍ଭାବନା ଆଣିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗସ୍ତର ଅନ୍ତିମ ଦିନରେ ଏହାକୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି ଯେ ୧୯୪୯ ମସିହାରୁ ପଶ୍ଚିମବଙ୍ଗର ବ୍ରହ୍ମପୁତ୍ର, ଦାମଦୋର, ଗଙ୍ଗା ତ୍ରିକୋଣଭୂଖଣ୍ଡରୁ ତୈଳ ଓ ଗ୍ୟାସର ଅନୁସନ୍ଧାନ କରାଯାଉଥିଲା । ୬୦ ଦଶକରେ ଓଏନଜିସି ମଧ୍ୟ ତୈଳ ଓ ଗ୍ୟାସର ସନ୍ଧାନପାଇଁ ଏଠାରୁ ଡ୍ରିଲିଂ ଜାରୀ ରଖିଥିଲା। ତେବେ ସ୍ୱାଧୀନତାର ଦୀର୍ଘବର୍ଷ ଅପେକ୍ଷା ପରେ ପଶ୍ଚିମବଙ୍ଗର ଏହି ଭୂଖଣ୍ଡରୁ ଅଶୋଧିତ ତୈଳ ଉତ୍ପାଦନ କରାଯିବ। ଏହି ସଫଳତା ପାଇଁ ଶ୍ରୀ ପ୍ରଧାନ ଓଏନଜିସିକୁ ଶୁଭେଚ୍ଛା ଜଣାଇଛନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ନେବା ପରେ ଦେଶର ତୈଳ ଓ ଗ୍ୟାସ ଆମଦାନୀ ନିର୍ଭରତାକୁ ହ୍ରାସ କରିବା ପାଇଁ ଦେଶରୁ ହିଁ ତୈଳ ଓ ଗ୍ୟାସର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହା ପେଟ୍ରୋଲିୟମ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକ୍ରମେ ଅଶୋକନଗର ଠାରେ ଉଦ୍ଘାଟିତ ହୋଇଯାଇଥିବା ବାଣିଜ୍ୟିକ ଇନ୍ଧନ ଉତ୍ପାଦନ ବେସିନରୁ ସର୍ବୋତ୍କୃଷ୍ଟ ମାନର ଅଶୋଧିତ ତୈଳ ଉତ୍ପାଦନ କରାଯିବ।

ଏହି ଅଶୋଧିତ ତୈଳକୁ ହଳଦିଆ ରିଫାଇନାରୀକୁ ନିଆଯିବ। ଶ୍ରୀ ପ୍ରଧାନ କହିଛନ୍ତି ପଶ୍ଚିମବଙ୍ଗରେ ଓଏଏଲପି ଅଧୀନରେ ତୈଳ ଏବଂ ଗ୍ୟାସର ଅନ୍ୱେଷଣ ପାଇଁ ଲିଜ୍ ନିଆଯାଇଛି। ନୂଆ ଇନୋଭେସନ ଏବଂ ନୂଆ ଟେକ୍ନୋଲୋଜି ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ନୂଆ ସମ୍ଭାବନା ଅଣାଯିବ। ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ତଥା ଅଶୋକନଗରର ଅନ୍ୟ କୂଅ ଗୁଡ଼ିକରୁ ଉତ୍ପାଦନ ଆରମ୍ଭ କରିବା ପାଇଁ ଜୋରଦାର ଉଦ୍ୟମ ପଶ୍ଚିମବଙ୍ଗର ଆର୍ଥିକ ବିକାଶ ଉପରେ ସୁପ୍ରଭାବ ପକାଇବ । ଏହାଦ୍ୱାରା ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିବ, ଅର୍ଥନୀତି ବିକାଶ ହେବ। ଓଏନଜିସିର ଏହି ପଦକ୍ଷେପ ଫଳରେ ସ୍ଥାନୀୟ ଅର୍ଥନୀତି ବଢ଼ିବ, ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଲକ୍ଷ୍ୟ ହାସଲ କରିବାରେ ମଧ୍ୟ ବଡ଼ ଯୋଗଦାନ ରଖିବା ସହ ଯୁବକଙ୍କ ଆକାଂକ୍ଷାକୁ ପୂରଣ କରିବ ଏବଂ ରୋଜଗାରର ସୃଷ୍ଟିହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ପୂର୍ବ ଭାରତର ବିକାଶର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଅଗ୍ରସର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।