ବିବାହର ୧୫ ବର୍ଷ ପରେ ଅଲଗା ହେବେ ଅମିର ଓ କିରଣ

ମୁମ୍ବାଇ: ୧୫ ବର୍ଷ ବୈବାହିକ ଜୀବନ ବିତାଇବା ପରେ ବଲିଉଡ ଅଭିନେତା ଅମିର ଖାନ୍ ଓ କିରଣ ରାଓ ଅଲଗା ହେବାକୁ ଯାଉଛନ୍ତି। ଅମିର ଓ କିରଣ ଏକ ମିଳିତ ବୟାନ ଜାରି କରି ତାଙ୍କ ବିବାହ ବିଚ୍ଛେଦ ସମ୍ପର୍କରେ ସୂଚନା ଦେଇଛନ୍ତି। ଛାଡ଼ପତ୍ର ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ବ୍ୟବସାୟିକ ସମ୍ବନ୍ଧ ଜାରି ରହିବ। ଏଥିସହିତ ପିଲାର ଲାଳନପାଳନ ମଧ୍ୟ ମିଶିକି କରିବେ ବୋଲି ଉଭୟ କହିଛନ୍ତି।

ସୂଚନାଯୋଗ୍ୟ, ଅମିର ‘ଲଗାନ’ ଫିଲ୍ମର ସୁଟିଂ ସେଟରେ କିରଣଙ୍କୁ ଭେଟିଥିଲେ। ‘ଲଗାନ’ ଫିଲ୍ମରେ କିରଣ ଆସିଷ୍ଟାଣ୍ଟ ଡାୟରେକ୍ଟର ଥିଲେ। ଉକ୍ତ ଫିଲ୍ମ ସେଟରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ। ପରେ ୨୦୦୫ ମସିହାରେ ଅମିର ଓ କିରଣ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଦୁହିଁଙ୍କର ଏକ ପୁଅ ଆଜାଦ ମଧ୍ୟ ରହିଛି। ଏହା ଅମିରଙ୍କ ଦ୍ୱିତୀୟ ବିବାହ ଥିଲା। କିରଣଙ୍କ ପୂର୍ବରୁ ଅମିର ରିନା ଦତ୍ତାଙ୍କୁ ବିବାହ କରିଥିଲେ। ରୀନାଙ୍କୁ ମଧ୍ୟ ଅମିର ବିବାହର ୧୫ ବର୍ଷ ପରେ ଛାଡ଼ପତ୍ର ଦେଇଥିଲେ।