୧୨ ଘଣ୍ଟା ଜେରା ପରେ ସରୋଜଙ୍କ ମାଆ ଓ ଭଉଣୀଙ୍କୁ ଛାଡ଼ିଲା ଏସଆଇଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପରୀ ହତ୍ୟା ମାମଲାରେ ଗତକାଲି ଉଠାଇ ନେଇଥିବା ସରୋଜ ସେଠୀଙ୍କ ମାଆ ଓ ଭଉଣୀଙ୍କୁ ୧୨ ଘଣ୍ଟା ଜେରା କରିବା ପରେ ଛାଡ଼ିଦେଇଛି ଏସଆଇଟି। ପଚରାଉଚରା ଓ ଲାଏ ଡିଟେକ୍ସନ ପରେ ସେମାନଙ୍କୁ ଛାଡ଼ିଥିବା ସୂଚନା ମିଳିଛି। ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିବା ନେଇ ସରୋଜଙ୍କ ଭଉଣୀ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ୩ ଜଣଙ୍କର ଲାଏ ଡିଟେକ୍ସନ କରାଯାଇଛି ବୋଲି ସେ କହିଛନ୍ତି। ତେବେ ମାଆ ଓ ଭଉଣୀଙ୍କୁ ଛାଡ଼ି ଦେଇଥିଲେ ବି ଏବେ ବି ସରୋଜକୁ ଅଟକ ରଖିଛି ଏସଆଇଟି।

ସୂଚନା ଥାଉକି ଗତକାଲି ପରୀ ହତ୍ୟା ମାମଲାରେ ନୟାଗଡ଼ ସଦର ଥାନା ଅନ୍ତର୍ଗତ ପରୀର ଗାଁ ଯଦୁପୁରରୁ ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀଙ୍କୁ ଏସଆଇଟି ଉଠାଇ ନେଇଥିଲା। ପରେ ସମସ୍ତଙ୍କୁ ହସ୍ପିଟାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା। ସରୋଜଙ୍କର ପରୀର ହତ୍ୟାରେ କୌଣସି ସଂପୃକ୍ତି ନ ଥିବା ସେ ପୂର୍ବରୁ କହିଥିଲେ। ତେବେ ସରୋଜଙ୍କ ପ୍ରତିକ୍ରିୟାର ମାତ୍ର୨ ଦିନ ପରେ ଏସଆଇଟି ତାଙ୍କୁ ଉଠାଇ ନେଇଥିଲା।