‘କୁଲି ନଂ ୧’ ସେଟରେ ଦୁର୍ଘଟଣା

ବରୁଣ ଧୱନ ଓ ସାରା ଅଲ୍ଲୀ ଖାନଙ୍କ ଅପକମିଂ ଫିଲ୍ମ ‘କୁଲି ନଂ ୧’ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମିଳିଥିବା ଖବର ଅନୁସାରେ, ଗୋରେଗାଓଁସ୍ଥିତ ଫିଲ୍ମିସ୍ଥାନ ଷ୍ଟୁଡିଓରେ ଏ ଫିଲ୍ମର ସୁଟିଂ ଚାଲିଛି। ତେବେ ମଙ୍ଗଳବାର ରାତି ଅଧରେ କୌଣସି କାରଣରୁ ଏହାର ସେଟରେ ନିଆଁ ଲାଗିଯାଇଥିଲା।

ଏହି ଘଟଣାରେ କେହି ମୃତାହତ ହୋଇନଥିଲେ ହେଁ ଅନେକ ମୂଲ୍ୟବାନ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲାଗିବାବେଳେ ସେଟରେ ୧୫ ଜଣ କର୍ମଚାରୀ ଉପସ୍ଥିତ ଥିଲେ ହେଁ କେହି ଆହତ ହୋଇନାହାନ୍ତି। ସେମାନେ ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଏ ଖବର ଦେଇଥିଲେ ଫଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିବା ପୂର୍ବରୁ ଦୁର୍ଘଟଣାକୁ ରୋକିଦେବା ସମ୍ଭବ ହେଲା।

ସୂଚନାଯୋଗ୍ୟ, ଡେଭିଡ୍ ଧୱନଙ୍କ ନିର୍ଦ୍ଦେଶନାରେ ଗୋବିନ୍ଦା ଏବଂ କରିସ୍ମା କପୁରଙ୍କୁ ନେଇ ନିର୍ମାଣ ହୋଇଥିଲା ‘କୁଲି ନଂ ୧’। ଫିଲ୍ମଟିକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ୨୪ ବର୍ଷ ପରେ ଏହି ଫିଲ୍ମକୁ ପୁନଃ ନିର୍ମାଣ କରାଯାଉଛି। ଆସନ୍ତା ବର୍ଷ ମେ ପହିଲାରେ ଏ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ।