କୁକୁରକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ମହିଳା, ମହିଳା ଥାନାରେ ଅଟକ

ଭୁବନେଶ୍ୱର,ଏଜେନ୍ସି: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବିଭିନ୍ନ ଅମାନବୀୟ ନାରକିୟ କାଣ୍ଡ ଦେଖିବାକୁ ମିଳୁଛି। ଗତକାଲି ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧେଶ୍ୱରୀ ମନ୍ଦିର ନିକଟରେ ଜଣେ ମହିଳା ଗୋଟିଏ କୁକୁରକୁ ଜୀବନ୍ତ ପୋଡି ମାରି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସେବିା ହିଁ ସଙ୍କଳ୍ପ ସଂଗଠନ ପକ୍ଷରୁ ଉକ୍ତ ମହିଳାଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ ହୋଇଛି। ଅଧିକ ତଦନ୍ତ ଚାଲିଥିବାବେଳେ ପୋଲିସ ମହିଳାଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି।

ଖବର ଅନୁଯାୟୀ କୁକୁରଟି ତାଙ୍କ ଅନୁପସ୍ଥିତିରେ ଘରେ ପ୍ରବେଶ କରି ଖାଦ୍ୟ ଖାଉଥିଲା। ଗତକାଲି ଅପରାହ୍ନ ସମୟରେ ମହିଳା ଜଣକ କୁକୁର ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ବେଳେ କ୍ରୁରତାର ସମସ୍ତ ସୀମା ଅତିକ୍ରମ କରିଥିଲେ। ସୂଚନା ପାଇବା ପରେ ସଂଗଠନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି କୁକୁର ମୃତଦେହ ଉଦ୍ଧାର କରଥିଲେ।

ଦୁଇଦିନ ପୁର୍ବରୁ ଜାଗମରା ଅଞ୍ଚଳରେ ଜଣେ ବ୍ୟକ୍ତି ଦୁଇଟି କୁକୁରକୁ ଗୁଳି କରିଥିଲେ। ଏଥିରେ ଗୋଟିଏ କୁକୁର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଟି ଗୁରୁତ୍ତର ଆହାତ ହୋଇଥିଲା। ଖବର ମୁତାବକ କୁକୁର ତାଙ୍କର କିଛି କୁକୁଡ଼ାକୁ ହତ୍ୟା କରିଥିବା ବେଳେ ପ୍ରତିଶୋଧ ନେବା ପାଇଁ ବ୍ୟକ୍ତି ଜଣକ କୁକୁରକୁ ଗୁଳି କରିଥିବା ଅଭିଯୋଗ ହୋଇଛି।