ବୋଥ୍ରାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଉ: ପ୍ରଦୀପ୍ତ ନାଏକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଏସଆଇଟି ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତକୁ ପୋକ୍ସୋ କୋର୍ଟ ନାବାଳକ ଦର୍ଶାଇବା ପରେ ଏସଆଇଟି ମୁଖିଆ ଅରୁଣ ବୋଥ୍ରାଙ୍କ ଉପରେ ବର୍ଷିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ।

ଏସଆଇଟିର ଉଦ୍ଦେଶ୍ୟ ଓ ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ୍ତ ନାଏକ। କାହିଁକି ଏସଆଇଟି ଜଣେ ନାବାଳକକୁ ସାବାଳକ ଦେଖାଇବାକୁ ଚେଷ୍ଟା କରୁଥିଲା। ମାଟ୍ରିକ ସାର୍ଟିଫିକେଟରେ ଜନ୍ମ ପ୍ରମାଣ ଥିବା ସତ୍ତ୍ୱେ ଏକ ଭୁଲ କାରଣ ଦର୍ଶାଇବା ସମ୍ପୂର୍ଣ୍ଣ ବେଆଇନ। ତେଣୁ ଅରୁଣ ବୋଥ୍ରାଙ୍କ ବିରୋଧରେ ଫୌଜଦାରୀ ମାମଲା ହେଉ ବୋଲି ଶ୍ରୀ ନାଏକ ଦାବି କରିଛନ୍ତି।

ଏହାବ୍ୟତୀତ ସେ କହିଛନ୍ତି, ମନ୍ତ୍ରୀ ଅରୁଣ ସାହୁ ଓ ବିଜେଡିକୁ ରକ୍ଷା କରିବା ପାଇଁ ଏପରି ଉଦ୍ୟମ ହୋଇଛି। ସମ୍ପୃକ୍ତ ନାବାଳକଙ୍କ ହାଡ ଓସିଫିକେସନ ପରୀକ୍ଷା ପାଇଁ ବୋଥ୍ରାଙ୍କୁ କିଏ ଅନୁମତି ଦେଲା? ବିନା ପ୍ରମାଣରେ ଜଣେ ଦଳିତ ନାବାଳକକୁ ଫସାଇ ଦିଆଯାଇଛି। ଅଙ୍ଗ ତସ୍କରୀକୁ ଲୁଚାଇବା ପାଇଁ ମନଗଢ଼ା କାହାଣୀ ରଚିଛି ଏସଆଇଟି। ଏସଆଇଟି ତଦନ୍ତକୁ ପରୀର ବାପା-ମା’ ବିଶ୍ୱାସ କରୁନାହାନ୍ତି। ସାଧାରଣ ଲୋକଙ୍କ ଭିତରେ ମଧ୍ୟ ଏଥିପ୍ରତି ବିଶ୍ୱାସ ନାହିିଁ ବୋଲି ଶ୍ରୀ ନାଏକ କହିଛନ୍ତି।

ସୂଚନାଯୋଗ୍ୟ, ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତକୁ ଗତକାଲି ନୟାଗଡ଼ ପୋକ୍ସୋ କୋର୍ଟ ନାବାଳକ ଦର୍ଶାଇଥିଲେ। ଏହାପରେ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର ପରେ ତାଙ୍କୁ ଅନୁଗୁଳସ୍ଥିତ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି।