ଫି’ ରେଗୁଲେସନ କମିଟି ରିପୋର୍ଟର ସ୍ୱତନ୍ତ୍ର ଅଧ୍ୟାଦେଶ ଦାବିରେ ୧୫ରୁ ଅନଶନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଡିଶା ଅଭିଭାବକ ମହାସଂଘ ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଅଭିଭାବକ ମାନଙ୍କର ରୋଜଗାର ହାନୀ ହୋଇଛି କ୍ଷ ସେପଟେ ସ୍କୁଲ ମାନଙ୍କର ପଇସା ଆଦାୟ ରେ ଦୌରାତ୍ମ୍ୟ ବଢିଚାଲିଛି । ସିବିଏସଇ ନବମ ଓ ଏକାଦଶ ଶ୍ରେଣୀର ନାମ ପଞ୍ଜିକରଣ ଅଥବା ଦଶମ ଓ ଦ୍ୱାଦଶ ଶ୍ରେଣୀର ଫର୍ମ ଫିଲପକୁ ଆଳ କରି ପ୍ରାଇଭେଟ ସ୍କୁଲମାନେ ଅଭିଭାବକ ମାନଙ୍କଠାରୁ ଜୋର ଜବରଦସ୍ତ ପଇସା ଆଦାୟ କରୁଛନ୍ତି । ଏ ସବୁର ମୂଳ କାରଣ ହେଲା ଓଡିଶାରେ ପ୍ରାଇଭେଟ ସ୍କୁଲରେ ଫି ଆଦାୟକୁ ନେଇ କୌଣସି ସ୍ୱତନ୍ତ୍ର ନିୟମ ଓ କାନୁନ ନାହିଁ । ଅନ୍ୟ ରାଜ୍ୟ ଯଥା ଗୁଜୁରାଟ, ଦିଲ୍ଲୀ ଓ ଉତ୍ତର ପ୍ରଦେଶ ପରି ଅନେକ ରାଜ୍ୟରେ ଏହି ନିୟମ ରହିଛି । ନିୟମ ଓ ଗାଇଡଲାଇନ ଥିଲେ ରାଜ୍ୟରେ ଏତେ ଅସୁବିଧା ହୁଅନ୍ତା ନାହିଁ ।

ଏଥି ପାଇଁ ଓଡିଶା ଅଭିଭାବକ ମହାସଂଘର ଦୀର୍ଘ ଦିନର ଦାବି ପରେ ୨୦୧୮ ମସିହାରେ ସ୍ୱତନ୍ତ୍ର ଫି ନିର୍ଧାରଣ କମିଟି ଗଠନ ହୋଇ ରିପୋର୍ଟ ପ୍ରସ୍ତୁତ ହୋଇ ଆଜି ପର୍ଯ୍ୟନ୍ତ ପଡ଼ିରହିଛି । ବର୍ତ୍ତମାନ ଏହି ବିପତ୍ତି ସମୟରେ ଏହି ନିୟମ ଲକ୍ଷ ଲକ୍ଷ ଅଭିଭାବକ ମାନଙ୍କ ପାଇଁ ସଂଜୀବନୀ ଭଳି କାମ ଦେଇଥାନ୍ତା । ଯେହେତୁ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ କରୋନା ପାଇଁ ଫି ଆଦାୟ ସଂକ୍ରାନ୍ତରେ ଏକ ସର୍ବ ସହମତ ଆପୋଷ ବୁଝାମଣା ହୋଇଛି, ତେଣୁ ସରକାର ପରିସ୍ଥିତିର ଭୟାବହତାକୁ ଦେଖି ଲକ୍ଷ ଲକ୍ଷ ଅଭିଭାବକ ମାନଙ୍କ ବିପତ୍ତିକୁ ଲକ୍ଷ କରି ଏକ ସ୍ୱତନ୍ତ୍ର ଅଧ୍ୟାଦେଶ ଜରିଆରେ ଏହି ବୁଝାମଣାର ରିପୋର୍ଟକୁ ତୁରନ୍ତ ଲାଗୁ କରନ୍ତୁ ଓ ଏଥି ସହିତ ଏଫ ଆର ସି ରିପୋର୍ଟକୁ ମଧ୍ୟ ତୁରନ୍ତ ଲାଗୁକରିବାକୁ ଏକ ସ୍ୱତନ୍ତ୍ର ଅଧ୍ୟାଦେଶ ଆଣିବାକୁ ଦାବି ଜଣାଇଛି ଓଡିଶା ଅଭିଭାବକ ମହାସଂଘ । ଯେପରି ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ଅଣାଯାଇଛି ସେପରି ଫି ରେଗୁଲେଶ କମିଟି ରିପୋର୍ଟ ପାଇଁ ଅଧ୍ୟାଦେଶ ଜାରି କରନ୍ତୁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ, ସହ ଅଧକ୍ଷ୍ୟ ପ୍ରସନ୍ନ ବିଷୋୟୀ ଓ ଭୁମୋହନ ପଟ୍ଟନାୟକ ଜଣାଇଛି ।

ସେ କହିଛନ୍ତି ଯେ, ଦାବି ପୂରଣ ନହେଲେ ଆସନ୍ତା ୧୫ ତାରିଖ ସକାଳ ୧୦ ଘଟିକାରୁ ମହାସଂଘର ସମସ୍ତ କର୍ମକର୍ତ୍ତା ମାନେ ଆମରଣ ଅନଶନ ଭଳି ଚରମ ପଦକ୍ଷେପ ନେବା ପାଇଁ ନିଷ୍ପତି ନେଇଛନ୍ତି । ସେହିଦିନ ମଧ୍ୟ ଓଡିଶାର ପ୍ରତ୍ୟେକ ଜିଲ୍ଲା ରେ ଅନୁରୂପ ଭାବେ ପ୍ରତୀକାତ୍ମକ ଧାରଣା ଅନୁଷ୍ଠିତ ହେବ ।