ଭୁବନେଶ୍ୱର,ଏନ୍ଏନ୍ଏସ୍: ଐତିହାସିକ କୃଷକ ଆନ୍ଦୋଳନ ଚାପରେ ତିନି କଳା କୃଷି ଆଇନର ପ୍ରତ୍ୟାହାର ପରେ ଆଗାମୀ ଦିନରେ ରାଜ୍ୟର କୃଷକ, କ୍ଷୁଦ୍ର ଚାଷୀ, ଭାଗଚାଷୀ, କୃଷି ଶ୍ରମିକ ଓ ଆଦିବାସୀ ତଥା ପାରମ୍ପାରିକ ଜଙ୍ଗଲ ବାସୀଙ୍କ ସମସ୍ୟା କୁ ନେଇ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ ତଥା ଅଭିଯାନ କରିବାକୁ ସଂଯୁକ୍ତ କିଷାନ୍ ମୋର୍ଚ୍ଚା, ଓଡିଶାର ଆବାହକ ମଣ୍ଡଳୀ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆଜି ଭୁବନେଶ୍ୱର ୟୁନିଟ-୬ ସ୍ଥିତ ନେତାଜୀ ଭବନ ଠାରେ ଅନୁଷ୍ଠିତ ବୈଠକରେ ଏ ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ବିଶିଷ୍ଟ କୃଷକ ନେତା ଲିଙ୍ଗରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ଏହି ବୈଠକରେ ସଂଯୁକ୍ତ କୃଷକ ମୋର୍ଚ୍ଚା ର ସର୍ବଶ୍ରୀ ଶଶୀ ଭୂଷଣ ସ୍ୱାଇଁ, ସୁରେଶ ପାଣିଗ୍ରାହୀ, ମହେନ୍ଦ୍ର ପରିଡା, ଜ୍ୟୋତି ରଞ୍ଜନ ମହାପାତ୍ର, ସନ୍ତୋଷ ରଥ, ପ୍ରଫୁଲ୍ଲ ସାମନ୍ତରା, ଶ୍ରୀକାନ୍ତ ମହାନ୍ତି, ଶଙ୍କର ସାହୁ,ନରେନ୍ଦ୍ର ମହାନ୍ତି,ଦେବ ପ୍ରସାଦ ରାୟ ମହାପାତ୍ର,ନିରଞ୍ଜନ ମହାନ୍ତି,ଶମ୍ଭୁ ପ୍ରସାଦ ମହାନ୍ତି, ଆଲୋକ ମହାନ୍ତି, ଏବଂ ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇଥିଲେ।
ଓଡିଶା କୃଷକ ସଭାର ଗଞ୍ଜାମ ଜିଲ୍ଲା ନେତା ବସନ୍ତ ନନ୍ଦଙ୍କ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୃତ୍ୟୁବରଣ କରିଥିବା ସଂଗ୍ରାମୀ ସାଥି ମାନଙ୍କ ମୃତ୍ୟୁରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ବିଭିନ୍ନ ବିଷୟରେ ବ୍ୟାପକ ବିଚାର ବିମର୍ଷ କରାଯାଇଥିଲା।
କେବଳ ଧାନ ନୁହେଁ, ସମସ୍ତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା, ଭାଗଚାଷୀ ମାନଙ୍କୁ ଚାଷୀର ମାନ୍ୟତା ସହ ଚାଷୀ ପାଉଥିବା ସମସ୍ତ ସରକାରୀ ସୁବିଧା ପ୍ରଦାନ,ଚଳିତ ବର୍ଷ ଲଗାତାର ଅଦିନିଆ ବର୍ଷା ଜନିତ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ, ଆଦିବାସୀ ଓ ପାରମ୍ପାରିକ ଜଙ୍ଗଲ ବାସୀ ମାନଙ୍କୁ ସେମାନଙ୍କ ଉତ୍ପାଦିତ କୃଷିଜାତ ସାମଗ୍ରୀ ଓ ସଂଗୃହିତ ଲଘୁବନଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଓ ଜଙ୍ଗଲ ଜମିର ଅଧିକାର ପ୍ରଦାନ ପାଇଁ ଦାବୀ କରାଯାଇଛି।
ରାଜ୍ୟର ବିଭିନ୍ନ ପ୍ରାନ୍ତ ରେ ଚାଲିଥିବା ବିସ୍ଥାପନ ବିରୋଧୀ ଜୀବନ-ଜୀବିକା ର ଅଧିକାର ପାଇଁ ଜନ ଆନ୍ଦୋଳନ ଗୁଡିକୁ ସଂହତି ପ୍ରଦାନ କରିବାକୁ କାର୍ଯ୍ୟପନ୍ଥା ଘୋଷଣା କରାଯାଇଛି।
ତଦନୁଯାୟୀ ଆଗାମୀ ୨୭ ଜାନୁୟାରୀ ୨୦୨୨ରେ ଭୁବନେଶ୍ୱର ଲୋହିଆ ଏକାଡେମୀ ପରିସରରେ ଏକ ରାଜ୍ୟ ସ୍ତରୀୟ କୃଷକ କନଭେନସନ୍ ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ସେହିପରି ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ ଏକ ପ୍ରତିନିଧି ଦଳ ଆସନ୍ତା ୬ ଜାନୁୟାରୀ ରେ ଜିନ୍ଦଲ ପ୍ରତିରୋଧ ଆନ୍ଦୋଳନକୁ ସଂହତି ଜଣାଇବା ପାଇଁ ଢ଼ିଙ୍କିଆ ଚାରିଦେଶ ଗ୍ରସ୍ତ କରିବା ସହିତ ଅଦିନିଆ ବର୍ଷା ଓ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ କୃଷକ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ୭ ଜାନୁଆରୀ ଦିନ ଓଡିଶାର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ଘୋଷଣା କରାଯାଇଛି ।
ସେହିପରି ଜୀବନ-ଜୀବିକା ତଥା ପରିବେଶକୁ ଧ୍ୱଂସ କରି ବିକାଶ ନାମରେ ଜନ ସାଧାରଣଙ୍କର ଜୀବନ-ଜୀବିକା କୁ ବିପନ୍ନ କରୁଥିବା କର୍ପୋରେଟ ଲୁଟ ବିରୋଧୀ ଜନ ଆନ୍ଦୋଳନ ଗୁଡିକୁ ବିଶେଷ କରି କୋରାପୁଟର ମାଳି ପର୍ବତ ସୁରକ୍ଷା, ବାଲିଆପାଳରେ ଭିଟାମାଟି ଏବଂ ଜୀବିକା ସୁରକ୍ଷା , ପୁରୀ ଜିଲ୍ଲାର ସିପସରୁବାଲି ସୁରକ୍ଷା ଇତ୍ୟାଦି ଆନ୍ଦୋଳନକୁ ସମର୍ଥନ ଓ ସଂହତି ଜଣାଇବାକୁ ରାଜ୍ୟ ଆବାହକ ମଣ୍ଡଳୀ ରେ ସର୍ବସମ୍ମତ କ୍ରମେ ପ୍ରସ୍ତାବ ଗୃହୀତ ହୋଇଛି । ସେହିପରି ଆସନ୍ତା ଫେବୃୟାରୀ ୨୩ ଓ ୨୪ ତାରିଖରେ ବିଭିନ୍ନ ଶ୍ରମିକ ସଂଗଠନମାନଙ୍କ ଡାକରାରେ ଦେଶବ୍ୟାପୀ ଧର୍ମଘଟ କୁ ସମର୍ଥନ ଜଣାଇବା ସହିତ ଭୁବନେଶ୍ୱର ସୁଭାଷ ନଗର ବସ୍ତି ଉଚ୍ଛେଦ ବିରୋଧରେ ଆନ୍ଦୋଳନ ପ୍ରତି ସଂଯୁକ୍ତ କୃଷକ ମୋର୍ଚ୍ଚା, ଓଡିଶା ପକ୍ଷରୁ ସଂହତି ଜ୍ଞାପନ କରାଯାଇଛି।