ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡିଶାର ସବୁଠାରୁ ଦୀର୍ଘତମ ସେତୁ ଉଦଘାଟିତ, ସେତୁ ପାଇଁ ବିନିଯୋଗ ହୋଇଛି ୧୧୧ କୋଟି ଟଙ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡମ୍ବା ଗୋପୀନାଥପୁର ଠାରେ ମହାନଦୀ ଉପରେ ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ଉଦଘାଟନ କରିଛନ୍ତି। ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ ଟି ଅକ୍ଷର ସଦୃଶ। ଏହା ରାଜ୍ୟର ପ୍ରଥମ ଟି ସେତୁ। ଏହି ସେତୁ ନିର୍ମାଣ ନେଇ ଦୀର୍ଘ ଦିନ ହେବ ଦାବି ହୋଇଆସୁଥିଲା। ଏହି ସେତୁ ଉଦଘାଟନ ଉକ୍ତ ଅଞ୍ଚଳର ଜନତାଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଛି। ଏଥିପାଇଁ ୧୧୧ କୋଟି ଟଙ୍କା ବିନିଯୋଗ କରାଯାଇଛି। ମୁଖ୍ୟମନ୍ତ୍ରୀ ୨୦୧୪ ମସିହାରେ ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସେତୁ ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ‘ଆପଣମାନେ ଖୁସି ତ’ ବୋଲି ପଚାରିଥିଲେ। ଜନତା ଆନନ୍ଦ ପ୍ରକାଶ ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ସେତୁ ବଡମ୍ବା ନରସିଂହପୁରରୁ ବାଙ୍କୀ ବୈଦେଶ୍ୱରକୁ ସଂଯୋଗ କରିବା ସହିତ ନଦୀ ଅବସ୍ଥିତ ସିଂହନାଥ ମନ୍ଦିରକୁ ମଧ୍ୟ ସଂଯୋଗ କରୁଛି। ଏହାଦ୍ବାରା ବଡମ୍ବାରୁ ବାଙ୍କୀ ବୈଦେଶ୍ୱରର ଦୂରତ୍ବ ୪୫ କିଲୋମିଟର ହ୍ରାସ ପାଇବ। ନିକଟସ୍ଥ ଅଞ୍ଚଳର ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଗମନାଗମନରେ ସୁବିଧା ହେବ। ଏହି ଅଞ୍ଚଳରେ କୃଷି, ବାଣିଜ୍ୟ ଏବଂ ପର୍ଯ୍ୟଟନର ବିକାଶ ହେବ। ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଓ ବାଙ୍କୀ ବିଧାୟକ ଦେବୀ ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।