‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’ ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଆଜି ମାଲକାନଗିରିକୁ ଏକ ଡାକ୍ତରୀ ଦଳକୁ ନେଇ ପ୍ରଥମ ବିମାନ ଉଡାଣ ଆରମ୍ଭ ହୋଇଛି। ଆଉ ଏହାଦ୍ୱାରା ଆଦିବାସୀବହୁଳ ୪ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡିର ଜନସାଧାରଣ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ପାଇପାରିବେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ  ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ବିଭିନ୍ନ ମେଡିକାଲ କଲେଜ ଏବଂ କର୍ପୋରେଟ୍ ହାଉସ୍ ହସ୍ପିଟାଲର ଦକ୍ଷ ଓ ସ୍ୱନାମଧନ୍ୟ ଡାକ୍ତରମାନେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଏହିସବୁ ଜିଲ୍ଲାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠାରେ ହୃଦରୋଗୀ, ସ୍ନାୟୁରୋଗୀ, କିଡନୀ ଓ ମୁତ୍ରାଶୟ ରୋଗୀଙ୍କ ଭଳି ସୁପର ସ୍ପେସାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା କରିବେ। ଏଥିପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ।