ଓମିକ୍ରନ୍ ଆଶଙ୍କା: ମୁଣ୍ଡବିନ୍ଧା ବଢ଼ାଇଛନ୍ତି ନାଇଜେରିଆ ଫେରନ୍ତା

କଟକ,ଏନ୍‌ଏନ୍‌ଏସ୍‌: ନାଇଜେରିଆ ଫେରନ୍ତାଙ୍କୁ ନେଇ ଏବେ କଟକ ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧା ବଢ଼ିଯାଇଛି। ତାଙ୍କର ନମୁନା ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି। ନାଇଜେରିଆରୁ ଫେରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବୟସ ୪୧ବର୍ଷ ହୋଇଥିବାବେଳେ ତାଙ୍କର ଘର ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅଞ୍ଚଳରେ ବୋଲି ଜଣାପଡ଼ିଛି। ୩ ଦିନ ତଳେ ସେ ନାଇଜେରିଆରୁ ଫେରିବା ପରେ ସିଧା ଘରକୁ ନଯାଇ କଟକ ଦୋଳମୁଣ୍ଡାଇସ୍ଥିତ ଏକ ହୋଟେଲରେ ରହିଥିଲେ।

ଏୟାରପୋର୍ଟରୁ ଆସିବାବେଳେ ଦେଇଥିବା ଠିକଣାରେ ସେ ଉପଲବ୍ଧ ନହେବାରୁ ତାଙ୍କର ଫୋନ୍ ନମ୍ବର ଟ୍ରାକିଂ କରାଯାଇଥିଲା। ପରେ ସେ କଟକ ଦୋଳମୁଣ୍ଡାଇଠାରେ ରହୁଥିବା ଜଣାପଡ଼ିଥିଲା। ରହୁଥିବା ହୋଟେଲରେ ସେ ୫ ଜଣ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ। ସମ୍ପୃକ୍ତ କର୍ମଚାରୀଙ୍କ କୋଭିଡ୍ ପରୀକ୍ଷା କରାଯାଇଥିବାବେଳେ ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେଇନାହିଁ। ଇତିମଧ୍ୟରେ ତାଙ୍କର ଶାଳକ ମଧ୍ୟ ତାଙ୍କୁ ଭେଟିଥିବା ଜଣାପଡ଼ିବା ପରେ ଆଜି ତାଙ୍କର ମଧ୍ୟ କୋଭିଡ୍ ପରୀକ୍ଷା ନିମନ୍ତେ ନମୂନା ସଂଗ୍ରହ କରାଯାଇଛି। ଜିନମ୍ ସିକ୍ୱେନ୍ସିଂ ରିପୋର୍ଟ ୭ ଦିନ ଭିତରେ ଆସିବା ପରେ ସେ ଓମିକ୍ରନ୍ ସଂକ୍ରମିତ କି ନୁହେଁ, ତାହା ସ୍ପଷ୍ଟ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।