କଳିଙ୍ଗ ଷ୍ଟାଡିୟମ୍‌ରେ ମୁଖ୍ୟମନ୍ତ୍ରୀ: ୮୯ ବହୁମୁଖୀ ଇନ୍‌ଡୋର୍ ହଲ୍‌ର ଶିଳାନ୍ୟାସ ସହ ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ କରିବା ଦିଗରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଚାଲିଥିବା ବେଳେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ରାଜ୍ୟରେ ଆସନ୍ତା ବର୍ଷ ହକି ବିଶ୍ୱକପ୍ ଖେଳାଯିବାକୁ ଥିବା ବେଳେ ଏଥିସକାଶେ ରାଉରକେଲାରେ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ୍‌ର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିସହ କଳିଙ୍ଗ ଷ୍ଟାଡିୟମ୍‌ରେ ମଧ୍ୟ ସମସ୍ତ ପ୍ରକାର କ୍ରୀଡ଼ା ଭିତ୍ତିଭୂମି ଯୋଗାଇଦେବା ସକାଶେ କାର୍ଯ୍ୟ ମଧ୍ୟ ଚାଲିଛି।

ଗୁରୁବାର ମୁଖ୍ୟମନ୍ତ୍ରୀ ଏହିସବୁ କାର୍ଯ୍ୟର ସମୀକ୍ଷା କରିବା ସହ ଆସନ୍ତା ବର୍ଷକ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମ୍‌ରେ ସମ୍ପୂର୍ଣ୍ଣ ହୋଇସାରିଥିବା ବିଜୁ ପଟ୍ଟନାୟକ ୱେଟ୍‌ଲିଫ୍‌ଟିଂ ହଲ୍ ଓ ସ୍ପୋର୍ଟ୍ସ ହଷ୍ଟେଲ୍ ସମେତ ୫ଟି କ୍ରୀଡ଼ା ଭିତ୍ତିଭୂମିର ଲୋକାର୍ପଣ କରିଛନ୍ତି। ଲୋକାର୍ପିତ ହୋଇଥିବା ଅନ୍ୟ ତିନିଟି କ୍ରୀଡ଼ା ଭିତ୍ତିଭୂମି ହେଲା ଅନୁଗୁଳ ଓ ବାରିପଦାରେ ଗୋଟିଏ ଲେଖାଏଁ ସୁଇମିଂ ପୁଲ୍ ଏବଂ ରାଉରକେଲାରେ ଇନ୍‌ଡୋର ଷ୍ଟାଡିୟମ୍। ସେହିପରି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ୮୯ଟି ଇନ୍‌ଡୋର୍ ଷ୍ଟାଡିୟମ୍‌ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରୁ ୮୭ଟି କାର୍ଯ୍ୟ ସକାଶେ ଟେଣ୍ଡର୍ ଆହ୍ୱାନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। କେତେକ ଷ୍ଟାଡିୟମ୍ ପାଇଁ ଟେଣ୍ଡର୍ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି ଓ ଉକ୍ତ ସ୍ଥାନରେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ସମସ୍ତ ୮୯ଟିଯାକ ଇନ୍‌ଡୋର୍ ଷ୍ଟାଡିୟମ୍ ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ବହୁମୁଖୀ ଇନ୍‌ଡୋର୍ ଷ୍ଟାଡିୟମ୍‌ଗୁଡ଼ିକରେ ବ୍ୟାଡ୍‌ମିଣ୍ଟନ୍‌, ଟେବଲ୍ ଟେନିସ୍‌, ୱେଟ୍‌ଲିଫ୍‌ଟିଂ ଆଦି କ୍ରୀଡ଼ାର ସୁବିଧା ରହିବ। ଏହାଛଡ଼ା ବିପର୍ଯ୍ୟୟ ଓ ମହାମାରୀ ସମୟରେ ଏହି ଷ୍ଟାଡିୟମ୍‌ଗୁଡ଼ିକୁ ଅସ୍ଥାୟୀ ଶିବିର ଓ ହସ୍ପିଟାଲ୍ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ।

ବର୍ତ୍ତମାନ ସମୟରେ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଇନ୍‌ଡୋର୍ ଆଥଲେଟିକ୍ ଷ୍ଟାଡିୟମ୍‌ର କାର୍ଯ୍ୟ ଜାରି ରହିଥିବା ବେଳେ ଏହା ଲୋକାର୍ପିତ ହେବା ପରେ ଭାରତରେ ପ୍ରଥମ ଥର ପାଇଁ ଏପରି ସୁବିଧା ଉପଲବ୍ଧ ହୋଇପାରିବ। ଏହାଛଡ଼ା ନିର୍ମାଣାଧୀନ ଇନ୍‌ଡୋର୍ ଆକ୍ୱାଟିକ୍ ସେଣ୍ଟର୍‌ଟି ମଧ୍ୟ ରାଜ୍ୟର ସନ୍ତରଣ ପ୍ରତିଯୋଗୀମାନଙ୍କ ସକାଶେ ବିଶ୍ୱସ୍ତରୀୟ ସୁବିଧାସୁଯୋଗ ଯୋଗାଇ ଦେଇପାରିବ। ଅନ୍ୟପକ୍ଷରେ ରାଜ୍ୟରେ ୱେଟ୍‌ଲିଫ୍‌ଟିଂ କ୍ଷେତ୍ରରେ ଅନେକ ପ୍ରତିଯୋଗୀ ଆଗାମୀ ଦିନରେ ଦେଶ ପାଇଁ ପଦକ ଜିତିବା ଦିଗରେ ଅଗ୍ରସର ହେଉଛନ୍ତି। ସେମାନଙ୍କୁ ଅନ୍ତର୍ଜାତୀୟ ମାନର ପ୍ରଶିକ୍ଷଣ ସୁବିଧା ଦେବା ଦିଗରେ ୱେଟ୍‌ଲିଫ୍‌ଟିଂ ହଲ୍‌ଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏଠାରେ ବିଶେଷଜ୍ଞ ଓ ତାଲିମ୍‌ପ୍ରାପ୍ତ ପେସାଦାର କୋଚ୍‌ମାନେ ସ୍ପୋର୍ଟ୍ସ ସାଇନ୍ସ ସୁବିଧା ସହ ପ୍ରତିଯୋଗୀମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି।

ଏହାଛଡ଼ା ନୂଆ ସ୍ପୋର୍ଟ୍ସ ହଷ୍ଟେଲ୍‌ରେ ପ୍ରତିଭାଶାଳୀ ପ୍ରତିଯୋଗୀମାନେ ରହି କଳିଙ୍ଗ ଷ୍ଟାଡିୟମ୍‌ରେ ସୁଚାରୁ ରୂପେ ସେମାନଙ୍କ ପ୍ରଶିକ୍ଷଣ ପ୍ରକ୍ରିୟା ଜାରି ରଖିପାରିବେ। ସେହିପରି ସନ୍ତରଣ ପ୍ରତିଯୋଗୀମାନଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତା ସକାଶେ ପ୍ରସ୍ତୁତି ପାଇଁ ସୁଇମିଂ ପୁଲ୍‌ର ଉଦ୍‌ଘାଟନ କରାଯାଇଛି। ଆହୁରି ତୃଣମୂଳ ସ୍ତରରୁ ସନ୍ତରଣ ପ୍ରତିଯୋଗୀଙ୍କୁ ଚୟନ କରିବା ସକାଶେ ଅନୁଗୁଳ ଓ ବାରିପଦାରେ ସେମି ଅଲିମ୍ପିକ୍ ସୁଇମିଂ ପୁଲ୍ ଉଦ୍‌ଘାଟିତ ହୋଇଛି। ସେଠାରେ ପ୍ରଶିକ୍ଷକ ଓ ଲାଇଫ୍‌ଗାର୍ଡମାନଙ୍କ ତତ୍ତ୍ୱାବଧାନରେ ପ୍ରତିଯୋଗୀମାନେ ଉତ୍ତମ ମାନର ପ୍ରଶିକ୍ଷଣ ନେଇପାରିବେ। ଏଥିରୁ ସ୍ଥାନୀୟ ପ୍ରତିଭାମାନେ ବିଶେଷ ଭାବେ ଲାଭବାନ ହେବେ ବୋଲି ଆଶା କରାଯାଉଛି।

ଆଗାମୀ ଦିନରେ ରାଜ୍ୟର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମଧ୍ୟ ଏପରି ସୁଇମିଂ ପୁଲ୍ ତିଆରି କରାଯିବାର ଯୋଜନା ରହିଛି। ଅନ୍ୟପକ୍ଷରେ ଭୁବନେଶ୍ୱର ପରେ ରାଉରକେଲା ଦେଶର ଅନ୍ୟତମ କ୍ରୀଡ଼ା ହବ୍ ଭାବେ ପରିଚିତି ପାଇବାକୁ ଯାଉଥିବା ବେଳେ ଏଠାରେ ଉଦ୍‌ଘାଟିତ ହୋଇଥିବା ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ସ୍ଥାନୀୟ ଅଞ୍ଚଳର ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗୀମାନେ ଅଭ୍ୟାସ କରିବାର ଉତ୍ତମ ପରିବେଶ ପାଇପାରିବେ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ସମୟରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିଶନର୍ ପିକେ ଜେନା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ୍‌, କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ସଚିବ ଆର୍ ଭିନୀଲ୍‌କ୍ରିଷ୍ଣା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।