ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକ: ୫୧୧ କୋଟିର ୭ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

ସୃଷ୍ଟିହେବ ୬୪୦୨ରୁ ଅଧିକ ନିଯୁକ୍ତି; ୨୩ ଦିନରେ ୨୩୮୩ କୋଟିର ନିବେଶ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ୫୧୧.୧୯ କୋଟି ବ୍ୟୟରେ ୭ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା ୬୪୦୨ରୁ ଅଧିକ କର୍ମନିଯୁକ୍ତିି ସୃଷ୍ଟିହେବ। ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ବୈଠକରେ ଏହି ପ୍ରକଳ୍ପଗୁଡ଼ିକ ଉପରେ ମୋହର ଲାଗିଛି। ୨୩ ଦିନ ତଳେ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ୧୮୭୨.୧୧ କୋଟି ଟଙ୍କାର ୮ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ । ଯେଉଁଥିରେ ୩୪୬୧ କର୍ମନିଯୁକ୍ତି ସମ୍ଭାବନା ରହିଛି। ତେବେ ୨୩ ଦିନରେ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ମୋଟ୍ ୨୩୮୩.୩୦ କୋଟି ଟଙ୍କା ପ୍ରକଳ୍ପକୁ ଅନୁମୋଦନ ଦେଇଥିବାବେଳେ ୯୮୬୩ ନିଯୁକ୍ତି ସମ୍ଭାବନା ସୃଷ୍ଟିହୋଇଛି।

ଆଜିର ବୈଠକରେ ମଞ୍ଜୁରୀ ଲାଭ କରିଥିବା ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ବୟନ, ପୋଷାକ, କାଗଜ ଉତ୍ପାଦ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ, ଇସ୍ପାତ୍ ଡାଉନ୍‌ଷ୍ଟ୍ରିମ୍ ଏବଂ ଆଇରନ୍ ଓର୍ ବେନିଫିକେସନ୍ କ୍ଷେତ୍ରରୁ ଆସିଥିବା ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି। ପ୍ରକଳ୍ପଗୁଡ଼ିକ ହେଲା- ୫୧ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଠାରେ ଅମ୍ବାଟ୍ଟୁର ଫ୍ୟାସନ୍‌ସ ଏକ ପୁରୁଷ ଏବଂ ମହିଳା ପୋଷାକ ବିନିର୍ମାଣ କେନ୍ଦ୍ର ପ୍ରତିଷ୍ଠା କରିବ। ଏଥିରେ ୪୭୦୦ରୁ ଅଧିକ ନିଯୁକ୍ତି ପାଇବେ। ସେହିପରି ଖୋର୍ଦ୍ଧା ଜିଲ୍ଲା ଛତାବର ଶିଳ୍ପାଞ୍ଚଳରେ ୫୨.୬୨ କୋଟି ନିବେଶ କରି ୱାଇଲ୍‌ଡ୍ ଲୋଟସ୍ ଫ୍ୟାସନ୍‌ସ ପକ୍ଷରୁ ଏକ ଗାର୍ମେଣ୍ଟ୍ (ପୋଷାକ) ବିନିର୍ମାଣ ୟୁନିଟ୍ ସ୍ଥାପନ କରାଯିବ। ଏହାଫଳରେ ୫୬୦ ନିଯୁକ୍ତି ସୁଯୋଗ ପାଇପାରିବେ। ଏହାବାଦ୍ ବାଲେଶ୍ୱର ଜିଲ୍ଲାରେ ୧୨୦ କୋଟି ଟଙ୍କା ବିନିଯୋଗ କରି ଦୈନିକ ୩୦୦ଟନ୍ କ୍ଷମତା ବିଶିଷ୍ଟ ଏକ ନୂଆ କ୍ରାଫ୍ଟ ପେପର୍ ୟୁନିଟ୍ ସ୍ଥାପନ କରିବ ପାୟୋନିର ପ୍ୟାକେଜିଂ ପ୍ରା.ଲିଃର ସହାୟକ କମ୍ପାନୀ ବନ୍‌ସୀ ଲକ୍ଷ୍ମୀ ପ୍ରା.ଲିଃ। ଯେଉଁଥିରେ ୭୫୦ରୁ ଅଧିକ ନିଯୁକ୍ତି ପାଇବେ। ସେହିଭଳି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍‌(ଆଇଓସିଲ୍‌) ୫୨.୨୮ କୋଟି ଟଙ୍କା ନିବେଶରେ ବୌଦ୍ଧ ଜିଲ୍ଲାରେ ଏକ ୧୦ ମେଗାୱାଟ୍‌ର ସୋଲାର ପାୱାର ପ୍ଲାଣ୍ଟ୍ ପ୍ରତିଷ୍ଠା କରିବ। ଏଥିରେ ୬୫ରୁ ଅଧିକ ନିଯୁକ୍ତି ସମ୍ଭାବନା ଅଛି। ଏତଦ୍‌ଭିନ୍ନ ୬୩.୩୦ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧା ଜିଲ୍ଲାରେ ପ୍ରାଚୀ ରିସର୍ଟ ଏକ ୪ ତାରକା ହୋଟେଲ୍ ନିର୍ମାଣ କରିବ, ଏଥିରେ ୮୫ରୁ ଅଧିକ ନିଯୁକ୍ତି ପାଇବେ।

ଅନ୍ୟପକ୍ଷରେ ସମ୍ବଲପୁର ଜିଲ୍ଲାରେ ୫୧.୯୯ କୋଟି ନିବେଶରେ ସ୍ୟାଗ୍‌ମା ଟ୍ୟୁବ୍‌ସ ଆଣ୍ଡ୍ ପାଇପ୍‌ସ ପକ୍ଷରୁ ଏକ ୫ ଲକ୍ଷ ଏମ୍‌ଟିର ଟ୍ୟୁବ୍ ଏବଂ ପାଇପ୍ ବିନିର୍ମାଣ ୟୁନିଟ୍ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ୬୦ରୁ ଅଧିକ ନିଯୁକ୍ତି ସୁଯୋଗ ପାଇପାରିବେ । କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ଠାରେ ପିଟିସିଏଲ୍ ଇନ୍‌ଫ୍ରା ତା’ର ଆଇରନ୍ ଓର୍ ବେନିଫିକେସନ୍ ପ୍ଲାଣ୍ଟ ୧.୫ ଏମ୍‌ଟିପିଏରୁ ୨.୫ ଏମ୍‌ଟିପିଏକୁ ସମ୍ପ୍ରସାରଣ କରିବ। ଏଥିରେ ୧୨୦କୋଟି ଟଙ୍କା ବିନିଯୋଗ ହେବା ସହ ୧୮୨ରୁ ଅଧିକ ନିଯୁକ୍ତି ମିଳିବ ବୋଲି କୁହାଯାଇଛି।

ପୂର୍ବରୁ ମଞ୍ଜୁର ହୋଇଥିବା ପ୍ରକଳ୍ପର ନିର୍ମାଣ ଏବଂ କାର୍ଯ୍ୟକ୍ଷମ ଉପରେ ନଜର ରଖିବାକୁ ମୁଖ୍ୟ ସଚିବ ଇପିକଲକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ‘ସ୍କିଲ୍‌ଡ୍ ଇନ୍ ଓଡ଼ିଶା’ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେବାକୁ ମୁଖ୍ୟ ସଚିବ ଶିଳ୍ପଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଉନ୍ନୟନ କମିଶନର ପିକେ ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଏସିଏସ୍ ଡ. ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଜଳସମ୍ପଦ ପ୍ରମୁଖ ସଚିବ ଅନୁ ଗର୍ଗ, ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଇସ୍ପାତ୍ ଏବଂ ଖଣି ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ ସିଂ, ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରମୁଖ ସଚିବ ଅଶୋକ ମୀନା, ଇଡ୍‌କୋ ସିଏମ୍‌ଡି କ୍ରିଷନ୍ କୁମାର, ଇପିକଲ ଏମ୍‌ଡି ଭୂପିନ୍ଦର ସିଂ ପୁନିଆଙ୍କ ସମେତ ସମ୍ପୃକ୍ତ ବିଭାଗଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।