ଭୁବନେଶ୍ୱର,ଏନ୍ଏନ୍ଏସ୍: କମିଶନରେଟ୍ ପୁଲିସ ଅଞ୍ଚଳରେ ପୁଲିସ ଅନେକ ଭାରାକ୍ରାନ୍ତ ହୋଇ କାର୍ଯ୍ୟ କରୁଛି। ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାକୁ ଯାଇ ଅପରାଧ ଦମନରେ ପୁଲିସ ପଛୁଆ ରହିଯାଉଛି। ଏହାକୁ ଦୃଷ୍ଟିରେ ରଖି ଦ୍ୱୈତନଗରୀ ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସରେ ଏକ ନୂତନ ଅପରାଧ ଶାଖା ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି। ଏଥିରେ ଜଣେ ଡ଼ିସିପି ର୍ୟାଙ୍କ୍ର ଅଫିସର ମୁଖ୍ୟ ଭାବେ ରହିବେ। ତାଙ୍କୁ ଡ଼ିସିପି(କ୍ରାଇମ୍) ବୋଲି କୁହାଯିବ। ଏହି ଶାଖା ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ଏବଂ ନିଶାଦ୍ରବ୍ୟ ସମ୍ପର୍କିତ ବିଭିନ୍ନ ଅପରାଧୀକ ମାମଲାର ତଦନ୍ତ କରିବ। ଅବିକଳ ଭାବେ ଦ୍ୱେତନଗରୀର ଜନସାଧାରଣଙ୍କ ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚର ଭୂମିକା ଏହି ଶାଖା ନିଭାଇବ। ତେଣୁ ଏଭଳି ନିଷ୍ପତିକୁ ନେଇ ଡ଼ିଜିପି ଶ୍ରୀ ଅଭୟ ଓ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଦୀର୍ଘଦିନ ହେବ ଓଡ଼ିଶା ପୁଲିସ ପକ୍ଷରୁ ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଥିବାବେଳେ ଆଜି ମଞ୍ଜୁରି ମିଳିଛି। ଏଥିରେ ଜଣେ ଅତିରିକ୍ତ ଡିସିପି, ୩ଜଣ ଏସିପି, ୯ଜଣ ଇନ୍ସିପେକ୍ଟର, ୧୨ଜଣ ସବ୍-ଇନ୍ସିପେକ୍ଟର, ୩ ଜଣ ଏଏସ୍ଆଇ (ଯୋଗାଯୋଗ), ୩ଜଣ କନ୍ଷ୍ଟେବଳ(ଯୋଗାଯୋଗ) ଓ ୨୭ଜଣ କନେଷ୍ଟବଳ ରହିବେ। ସମୁଦାୟ ୫୯ଜଣ କର୍ମଚାରୀଙ୍କୁ ନେଇ ଏହି ଶାଖା କାର୍ଯ୍ୟ କରିବ। ସେହିପରି କମିଶନରେଟ୍ ପୁଲିସ ଅଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରୁ ରଖି ଲୋକଙ୍କୁ ଉତ୍ତମ ପୁଲିସ ସେବା ଯୋଗାଇଦେବା ପାଇଁ ଏହି ଅଞ୍ଚଳରେ ଆଉ ୩ଗୋଟି ନୂତନ ଥାନାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରି ପ୍ରଦାନ କରିଛନ୍ତି। ସେହି ନୂଆ ଥାନା ଗୁଡିକ ହେଲା-ପାହାଳ, ଇନ୍ଫୋଭାଲି ଓ ବୟାଳିଶମୌଜା/ବେଣ୍ଟକାର। ବାଲିଅନ୍ତା ଥାନା ଅଧୀନରେ କାମ କରୁଥିବା ପାହାଳ ଫାଣ୍ଡି, ଜଟଣୀ ଥାନା ଅଧୀନରେ କାମ କରୁଥିବା ଇନ୍ଫୋଭାଲି ଫାଣ୍ଡି ଓ କଟକ ସଦର ଥାନା ଅଧୀନରେ କାମ କରୁଥିବା ବେଣ୍ଟକାର ଫାଣ୍ଡିକୁ ଉନ୍ନତ କରାଯାଇ ଏହି ୩ଟି ନୂତନ ଥାନା ସୃଷ୍ଟି କରାଯାଇଛି।