ସନ୍ଦେହ ହେବାରୁ ପୁଣି ଖୋଳତାଡ଼, ଅଭୟକାନ୍ତଙ୍କ ଘରେ ଇଡ଼ି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଅବସରପ୍ରାପ୍ତ ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକଙ୍କ ବାସଭବନରେ ଶୁକ୍ରବାର ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଅଚାନକ୍ ଚଢଉ କରିଛି। ଶୁକ୍ରବାର ସକାଳ ୭ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କ ଘରେ ଯାଞ୍ଚ କରାଯାଇଛି। ସେଠାରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବ୍ୟାଙ୍କ ଡକ୍ୟୁମେଣ୍ଟ୍‌ସ ଇଡି ଜବତ କରିଛି। ଗତ ୨୫ ତାରିଖରେ ଜେରାବେଳେ ଅଭୟକାନ୍ତ କିଛି ତଥ୍ୟ ଲୁଚାଇଥିବା ନେଇ ଇଡି ସନ୍ଦେହ କରିଥିଲା। ଏନେଇ ଇଡିର ଟିମ୍ ତାଙ୍କ ଘରେ ଅଚାନକ୍ ଚଢଉ କରି ଖୋଳତାଡ଼ କରିଛନ୍ତି।

ଆୟବହିର୍ଭୂତ ସମ୍ପତ୍ତି ଓ ଠକେଇ ମାମଲାରେ ଅଭୟକାନ୍ତ ଛନ୍ଦି ହୋଇଥିଲେ। ପରେ ଇଡି ମନି ଲଣ୍ଡରିଂ ନେଇ ଅଭୟକାନ୍ତଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରିଥିଲା। ଏନେଇ ନଭେମ୍ବର ୨୫ ଓ ଅକ୍ଟୋବର ୫ତାରିଖରେ ଅଭୟକାନ୍ତ ଇଡିରେ ହାଜର ହୋଇଥିଲେ। ସେଦିନ ତାଙ୍କୁ ୧୧ଘଣ୍ଟା ଧରି ଜେରା କରାଯାଇଥିଲା। ଇଡି ପକ୍ଷରୁ ତାଙ୍କୁ ଦୁଇଥର ଜେରା କରାଯାଇଥିବାବେଳେ ଅଭୟକାନ୍ତଙ୍କ କଥାରେ କୌଣସି ତାଳମେଳ ରହିନଥିଲା। ତେଣୁ ସନ୍ଦେହ କରି ଇଡି ତାଙ୍କ ଘରେ ଚଢଉ କରିବା ପାଇଁ ଯୋଜନା କରିଥିଲା। ଶୁକ୍ରବାର ଭୁବନେଶ୍ୱର ବିବେକାନନ୍ଦ ମାର୍ଗ ପ୍ଲଟ୍ ନଂ-୧୦୧ ସ୍ଥିତ ଅଭୟକାନ୍ତଙ୍କ ବାସଭବନରେ ଇଡ଼ି ଅଚାନକ୍ ଚଢଉ କରି ଛାନଭିନ୍ କରିଛି। ଏମିତିକି ଅଭୟକାନ୍ତ ଓ ତାଙ୍କ ପତ୍ନୀଙ୍କୁ ବିଭିନ୍ନ ଦିଗକୁ ନେଇ ପଚରାଉଚରା କରାଯାଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ପାଠକଙ୍କୁ ନଭେମ୍ବର ମାସ ୨୦୨୦ରେ ଭିଜିଲାନ୍ସ ଗିରଫ କରିଥିଲା। ପରେ ସେ ଜାମିନ୍‌ରେ ଆସିଥିବାବେଳେ ତାଙ୍କ ପୁଅ ଆକାଶ ପାଠକ ଏବେ ଜେଲ୍‌ରେ ଅଛନ୍ତି। ଅଭୟକାନ୍ତଙ୍କ ସମୁଦାୟ ୯କୋଟି ୩୫ଲକ୍ଷର ଆୟ ବହିର୍ଭୂତ ସମ୍ପତ୍ତି ବାହାରିଥିଲା। ଯାହା ତାଙ୍କ ଆୟର ୪୩୫ପ୍ରତିଶତ ଅଧିକା। ଖାଲି ଏତିକି ନୁହେଁ, ତାଙ୍କ ଘରୁ ନଗଦ ୬୦ଲକ୍ଷ ଟଙ୍କା ମଧ୍ୟ ମିଳିଥିଲା।