ବିଶାଖାପାଟଣାରୁ ୪୨୦ କିମି ଦୂରରେ ବାତ୍ୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ‘ଜୱାଦ’ ବାତ୍ୟା ଏବେ ବିଶାଖାପାଟଣାରୁ ୪୨୦ କିମି ଦୂରରେ ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ୪ ତାରିଖ ସଂଧ୍ୟା ପରେ ବାତ୍ୟାର ଦିଗ ପରିବର୍ତ୍ତନ ହେବ। ୪ ସଂଧ୍ୟାରୁ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ମୁହାଁଇବ। ୫ ତାରିଖ ପୂର୍ବାହ୍ନରେ ପୁରୀ ଜିଲ୍ଲାରେ ଉପକୂଳ ନିକଟବର୍ତ୍ତୀ ହେବ। ଉପକୂଳ ନିକଟ ହୋଇ ସମାନ ଦିଗରେ ପଶ୍ଚିମବଙ୍ଗକୁ ଅଗ୍ରସର ହେବ। ଉପକୂଳ ଛୁଇଁଲା ପରେ ଏହା କ୍ରମେ ଦୁର୍ବଳ ହେବ। ଆଜି ସଂଧ୍ୟାରୁ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯିବ। କାଲି ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବ। ଜୱାଦର ପ୍ରକୋପ ଗୁଲାବଠାରୁ ଟିକେ ଅଧିକ ରହିବ ବୋଲି ସୂଚନା ମିଳିଛି।

ସେହିପରି ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଜୁଆର ଆସିବ। ନିୟମିତ ପ୍ରାୟ ୪ ମିଟର ଜୁଆରଠାରୁ ଅଧିକ ୧ ମିଟର ଜୁଆର ଉଠିପାରେ। ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ରହିଛି। ସେଥିପାଇଁ ସତର୍କ ରହିବା ପାଇଁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।