ଭୁବନେଶ୍ବର,ଏନ୍ଏନ୍ଏସ୍: କେନ୍ଦ୍ର ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି) ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆଜି(ଶୁକ୍ରବାର) ଭୁବନେଶ୍ବରରେ ରେପ୍ଲିକେସନ ଅଫ ଗୁଡ ଗଭର୍ନାନ୍ସ ପ୍ରାକ୍ଟିସ ବିଷୟବସ୍ତୁ ଉପରେ ଏକ ସମ୍ମିଳନୀ ଆୟୋଜିତ ହେବ। ଦୁଇ ଦିନ ଧରି ସେମି-ଭର୍ଚୁଆଲ ମାଧ୍ୟମରେ ଚାଲିବ ଏହି ସମ୍ମିଳନୀ। ସମ୍ମିଳନୀର ବିଷୟବସ୍ତୁ ରହିଛି “ଉତ୍ତମ ପ୍ରଶାସନ ବ୍ୟବସ୍ଥାର ପ୍ରତିଫଳନ”।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଧାରଣ ଅଭିଯୋଗ, ପେନସନ ବିଜ୍ଞାନ, ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ସମ୍ମିଳନୀରେ ଯୋଗ ଦେବେ। ବିଭିନ୍ନ ଅଧିବେଶନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ନୀତି ଆୟୋଗ ଭଳି ପ୍ରତିଷ୍ଠାନର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଅଧିବେଶନରେ ଯୋଗ ଦେଇ ପରସ୍ପର ମଧ୍ୟରେ ବିଚାରବିମର୍ଶ କରିବେ। ଜାତୀୟ ଓ ରାଜ୍ୟସ୍ତରୀୟ ସରକାରୀ ପ୍ରଶାସନିକ ସଂଗଠନ ଗୁଡିକୁ ଗୋଟିଏ ମଞ୍ଚକୁ ଆଣି ପ୍ରଶାସନିକ ଅଭିଜ୍ଞତା ଓ ନୂଆ କାର୍ଯ୍ୟଧାରା ବାଣ୍ଟିବା, ଜୀବନ ଧାରଣ ମାନରେ ସୁଧାର ଆଣିବା ଦିଗରେ ସୃଷ୍ଟ ଅସୁବିଧାକୁ ଦୂର କରିବା, ଇ-ଗଭର୍ନାନ୍ସ ଏବଂ ଡିଜିଟାଲ ଗଭର୍ନାନ୍ସକୁ ମଜଭୁତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ।
ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଡିଏଆରପିଜି ସଚିବ ସଞ୍ଜୟ ସିଂ ଉଦଘାଟନୀ ଓ ଉଦଯାପନୀ ଅଧିବେଶନରେ ଉପସ୍ଥିତ ରହିବେ। ସମ୍ମିଳନୀରେ ରାଜ୍ୟର ଜିଲ୍ଲାପାଳ/ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜ ମତ ରଖିବେ। ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ମଣିପୁର, ସିକିମ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ଆଦି ୧୪ ରାଜ୍ୟର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ।