ପୁରୀ ଜିଲ୍ଲାର ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଜୱାଦ୍’

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମ୍ଭାବ୍ୟ ବାତ୍ୟା ‘ଜୱାଦ୍’ ପୁରୀ ଜିଲ୍ଲାର ସ୍ଥଳ ଭାଗ ଛୁଇଁପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ସ୍ଥଳ ଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ସ୍ଥଳ ଭାଗ ଅଳ୍ପ ଛୁଇଁବା ପରେ ବାତ୍ୟା ପୁଣି ସମୁଦ୍ରକୁ ଚାଲି ଯାଇପାରେ। ଯଦି ଦିଗ ଅଧିକ ବଦଳାଏ ତେବେ ସ୍ଥଳ ଭାଗ ନଛୁଇଁପାରେ। ସ୍ଥଳ ଭାଗ ନ ଛୁଇଁ ଓଡ଼ିଶା ଉପକୂଳ ଦେଇ ଚାଲିଯାଇପାରେ। ସ୍ଥଳ ଭାଗ ନିକଟ ହେଲେ ସର୍ବାଧିକ ୯୦ରୁ ୧୦୦ କିମି ପବନ ବହିପାରେ। ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ପ୍ରଭାବ ରହିବ। ଆଜି ମଧ୍ୟରାତ୍ରରୁ ବର୍ଷା ଆରମ୍ଭ ହେବ ଏବଂ କାଲି ବେଶି ବର୍ଷା ହେବ। ତଳିଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଆଜି ଅପରାହ୍ନରେ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହେବ ଏବଂ କାଲି ମଧ୍ୟାହ୍ନରେ ସରିବ।

ଅନ୍ୟପଟେ ଏସଆରସି ପ୍ରଦୀପ ଜେନା ୨ ଦିନ ପାଇଁ ପାଣି ସାଇତି ରଖିବାକୁ କହିଛନ୍ତି। ଭୟଭୀତ ହୋଇ ଅଯଥା ଜିନିଷ ନକିଣିବାକୁ ପରାମର୍ଶ ଦେଇଛନ୍ତି। କାଲି ଅପରାହ୍ନରୁ ୫ତାରିଖ ସକାଳ ପର୍ଯ୍ୟନ୍ତ କାଲି ବାହାରେ ନ ବୁଲିବାକୁ କହିଛନ୍ତି। ମତ୍ସୀଜୀବୀମାନେ ସମୁଦ୍ରରୁ ଫେରି ଆସିଥିବା ନେଇ ମଧ୍ୟ ଏସଆରସି ସୂଚନା ଦେଇଛନ୍ତି। ପଞ୍ଚାୟତ ଗୃହ, ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କେହି ଚାହିଁଲେ ବାତ୍ୟା ବେଳେ ଉକ୍ତ ଘରେ ଆଶ୍ରୟ ନେଇପାରିବେ। ପ୍ରବଳ ବର୍ଷା ହେଲେ ବି ବନ୍ୟା ଆଶଙ୍କା ନାହିଁ ବୋଲି ଏସଆରସି କହିଛନ୍ତି।