ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ବାଲେଶ୍ୱର, ଭଦ୍ରକ ସାମିଲ; ଦୂର ହେବ ୭୭% ଲୋକଙ୍କ ଚିକିତ୍ସା ବୋଝ

ଭୁବନେଶ୍ୱର,ବାଲେଶ୍ୱର,ଭଦ୍ରକ,ଏନ୍‌ଏନ୍‌ଏସ୍‌: ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧ ଜିଲ୍ଲାରେ ସ୍ମାର୍ଟ କାର୍ଡ ସୁବିଧା ଉପଲବ୍ଧ ହୋଇସାରିଛି। ଏହାଦ୍ୱାରା ମୋଟ୍ ୯୬ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକ ଉପକୃତ ହେବେ ଏବଂ ୭୭% ଲୋକ ଚିକିତ୍ସାର ବୋଝରୁ ମୁକ୍ତିପାଇବେ। ଏହି କାର୍ଡ ନେଇ ଲୋକେ ଦେଶର ୨୦୦ ବଡ଼ ବଡ଼ ହସ୍ପିଟାଲ୍‌ରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବନାହିଁ। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଶୁକ୍ରବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାଲେଶ୍ୱର ଗସ୍ତ କରି କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲାବେଳେ ଭର୍ଚୁଆଲ ଜରିଆରେ ଭଦ୍ରକ ଜିଲ୍ଲାରେ କାର୍ଡ ବଣ୍ଟନ କରିଥିଲେ। ଉଭୟ ଜିଲ୍ଲାରେ ୩୧ ଲକ୍ଷ ହିତାଧିକାରୀ କାର୍ଡ ସୁବିଧା ପାଇବେ। ଏଥିରେ ବାଲେଶ୍ୱର ଜିଲ୍ଲାରେ ୨୦ ଲକ୍ଷ ଓ ଭଦ୍ରକ ଜିଲ୍ଲାରେ ୧୧ ଲକ୍ଷରୁ ଅଧିକ ଅନ୍ତର୍ଭୁକ୍ତ। ସେହିପରି ଦୁଇ ଜିଲ୍ଲା ପାଇଁ ୧୮୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବା ପୂର୍ବରୁ ପ୍ରଥମେ ବ୍ୟାସକବି ଫକୀରମୋହନ ଓ କବିବର ରାଧାନାଥ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଓଡ଼ିିଶାର ଭାଷା ଓ ସାହିତ୍ୟର ଗୌରବ ବୃଦ୍ଧି କ୍ଷେତ୍ରରେ ଏହି ଦୁଇ ମହାରଥୀଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ସେହିପରି ସ୍ୱାଧୀନତା ସଂଗ୍ରାମରେ ବାଲେଶ୍ୱରର ସ୍ୱତନ୍ତ୍ର ଅବଦାନ ରହିଛି। ବାଲେଶ୍ୱର ଜିଲ୍ଲା କୃଷି, ଶିଳ୍ପ, ପର୍ଯ୍ୟଟନ ସବୁ କ୍ଷେତ୍ରରେ ଆଗୁଆ। ଆମର ୮୦ କିଲୋମିଟର ବେଳାଭୂମି କେବଳ ବାଲେଶ୍ୱରରେ ଅଛି। ଧାନ, ପାନ ଓ ମୀନ ପାଇଁ ବାଲେଶ୍ୱର ଜଣାଶୁଣା। ଜିଲ୍ଲାର ୬୦୦ ମିଶନ ଶକ୍ତିର ମା’ମାନେ ମାଛ ଚାଷରେ ସାମିଲ ହୋଇଥିବାରୁ ତାହା ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଛି। ଏହାସହିତ ବିଭିନ୍ନ ସରକାରୀ ଯୋଜନାରେ ମଧ୍ୟ ସେମାନେ ସହଭାଗୀ ହୋଇଛନ୍ତି ଏବଂ ସେମାନଙ୍କୁ ଅଧିକ କାମ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ବାଲେଶ୍ୱର ପାଇଁ ୧୫୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ, ସମସ୍ତଙ୍କ ପାଖରେ ଭଲ ପିଇବା ପାଣି ପହଞ୍ଚାଇବା ଆମର ଏକ ମୁଖ୍ୟଲକ୍ଷ୍ୟ। ୬ଟି ବ୍ଲକ୍‌ରେ ୯୦୦ କୋଟିରୁ ଅଧିକ ଟଙ୍କାର ବିନିଯୋଗରେ ମେଗା ପାଇପ୍ ପାଣି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହାଦ୍ୱାରା ୬୬୦ଟି ଗାଁର ୬.୫୦ ଲକ୍ଷ ଲୋକ ଭଲ ପିଇବା ପାଣି ପାଇପାରିବେ। ମାଛ ଉତ୍ପାଦନରେ ବାଲେଶ୍ୱର ଆଗୁଆ। ଜିଲ୍ଲାର ମତ୍ସ୍ୟଜୀବୀଙ୍କ ସୁବିଧା ପାଇଁ ବସ୍ତା ଠାରେ ୨୦ ଏକର ଜମିରେ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ ବଡ଼ ‘ହୋଲ୍‌ସେଲ୍ ମାଛ ମାର୍କେଟ୍‌’ କରାଯିବ। ଏହାଦ୍ୱାରା ବାଲେଶ୍ୱର ସହିତ କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରର ମତ୍ସ୍ୟଜୀବୀମାନେ ଉପକାର ପାଇବେ। ଏହାପରେ ମାଛ ବିକିବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଆଉ ଦିଘା ମାଛ ମାର୍କେଟ୍ ଉପରେ ନିର୍ଭର ହେବାକୁ ପଡ଼ିବ ନାହିଁ।
ପୂର୍ବାହ୍ନରେ ବାଲେଶ୍ୱର ଗସ୍ତ ପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭଦ୍ରକ ଜିଲ୍ଲା ପାଇଁ ଭର୍ଚୁଆଲରେ ସ୍ମାର୍ଟ କାର୍ଡ ଯୋଜନା ଆରମ୍ଭ କରି ପ୍ରଥମେ ‘ବନ୍ଦେ ଉତ୍କଳ ଜନନୀ’ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ସ୍ମରଣକରିଥିଲେ। ରକ୍ତତୀର୍ଥ ଇରମ୍ ମାଟିକୁ ବି ପ୍ରଣାମ ଜଣାଇଥିଲେ। ଏହି ଅବସରରେ ଭଦ୍ରକ ପାଇଁ ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ସେହିପରି ଜିଲ୍ଲା ମୁଖ୍ୟାଳୟ ପାଇଁ ଏକ ୩୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ ବିଲ୍ଡିଂର ଭିତ୍ତି ରଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଜିଲ୍ଲାରେ ୯୫୦ କୋଟି ଟଙ୍କାରେ ଦୁଇଟି ମେଗା ପାଇପ୍ ପାଣି ପ୍ରକଳ୍ପ କାମ ଜାରି ରହିଛି। ଏହାଦ୍ୱାରା ୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ। ଭଦ୍ରକରେ ମିଶନ ଶକ୍ତିର ମା’ମାନେ ଭଲ କାମ କରୁଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନାରେ ସହଭାଗୀ ହୋଇଛନ୍ତି। ଚଳିତ ବର୍ଷ ସେମାନେ ୨୪୫ କୋଟି ଟଙ୍କା ଋଣ ସୁବିଧା ପାଇପାରିଛନ୍ତି। ମିଶନ ଶକ୍ତି କାର୍ଯ୍ୟକ୍ରମ କେବଳ ମା’ମାନଙ୍କର ନୁହେଁ, ସାରା ସମାଜରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣିବ।