ମୁଁ ମହିଳା ସାଂସଦ, ମୋତେ ସୁରକ୍ଷା ଦରକାର: ଅପରାଜିତା

ଶହୀଦନଗର ଥାନାରେ ୩ ମାମଲା, ୨ ଗିରଫ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଗୁରୁବାର ରାତ୍ରିରେ ଆଚାର୍ଯ୍ୟ ବିହାର ଠାରେ ଆକ୍ରମଣ ଉଦ୍ୟମ ହେବାନେଇ ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଦୋଷ ଲଦିଛନ୍ତି। ରାଜ୍ୟରେ ମହିଳା ସୁରକ୍ଷିତ ନାହାନ୍ତି ଏବଂ ଜଣେ ମହିଳା ସାଂସଦ ହିସାବରେ ମୁଁ ସୁରକ୍ଷିତ ନୁହେଁ। ରାଜ୍ୟ ସରକାରଙ୍କ ଦାୟିତ୍ୱ ସାଂସଦଙ୍କୁ ସୁରକ୍ଷା ଦେବା। ଆଜି ସାମ୍ବାଦିକ ସମ୍ମିଳନୀ ଡାକି ଏଭଳି ପ୍ରତିକ୍ରିୟା ରଖିବା ସଂସଦର ଆଗାମୀ ଶୀତ ଅଧିବେଶନରେ ସେ ଏହି କଥା ଉଠାଇବେ ବୋଲି କହିଛନ୍ତି।

ଅପରାଜିତା କହିଛନ୍ତି ଯେ ସରକାରୀ ଦଳ ମୋତେ ବାରମ୍ବାର ହାରାସ କରିଚାଲିଛନ୍ତି। ପୂର୍ବରୁ ମୋ କାର୍ଯ୍ୟାଳୟରେ ଜୋର ଜବରଦସ୍ତ ତାଲା ଲଗାଇଥିଲେ ଏବେ ଆକ୍ରମଣ କଲେ। ଘଟଣାସ୍ଥଳରେ ୪୫ ଜଣ ବରିଷ୍ଠ ନାଗରିକ ଏବଂ ୨୦ ଜଣ ମହିଳା ଥିଲେ। ବାହାରର ସ୍ଥିତି ଦେଖି ସେମାନେ ସମ୍ପୂର୍ଣ୍ଣ ଭୟଭୀତ ହୋଇଯାଇଥିଲେ। ଯଦି ସେହି ଟେକା ପଥର ଅନ୍ୟ ମହିଳା କିମ୍ବା ବରିଷ୍ଠ ନାଗରିକଙ୍କୁ ଲାଗିଥାନ୍ତା। କିଏ ଦାୟୀ ହୋଇଥାନ୍ତା। ରାଜ୍ୟ ସରକାର ହିଁ ଦାୟୀ ହୋଇଥାନ୍ତେ। ଲୋକଙ୍କୁ ଏତେ ଭୟଭୀତ କାହିଁକି କରାଗଲା। ଏହା ହୀନ ରାଜନୀତି ଓ ଅସହିଷ୍ଣୁତା। ବିରୋଧର ଗୋଟିଏ ପ୍ରକ୍ରିୟା ଓ ଶାଳୀନତା ଥାଏ। ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ସର୍ବଭାରତୀୟ ସ୍ତରରେ ମହିଳା ଅପରାଧରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ଅଛି। ଜଣେ ମହିଳା ସାଂସଦଙ୍କୁ ବାରମ୍ବାର ଆକ୍ରମଣ କରାଯାଉଛି। ବିଜେଡି ପକ୍ଷରୁ ମହିଳାମାନଙ୍କୁ ଯେଉଁଭଳି ଅତ୍ୟାଚାର ଓ ଦମନର ପ୍ରକ୍ରିୟା ଚାଲିଛି, ସେମାନେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ମହିଳା ଅପରାଧରେ ପ୍ରଥମ କରିବାକୁ ଚାହୁଁଛନ୍ତି। ମୁଁ ପଚାରିବାକୁ ଚାହୁଁଛି ମୋର ଭୁଲ କ’ଣ? ଲୋକଙ୍କ କାମ କରିବା ଭୁଲ କି? ବିଜେଡି ଏହାର ଜବାବ ରଖୁ।

ସେ ଆହୁରି କହିଛନ୍ତି ଯେ ଓଡ଼ିଶା ରାଜ୍ୟର ଇତିହାସରେ ଏଭଳି ଗୁଣ୍ଡାଗର୍ଦ୍ଦିି ହୋଇନଥିଲା। ୨୨ ବର୍ଷର ସରକାର ରହିଲେ ଅହଙ୍କାର ଆସିଯାଏ। ଦୁର୍ଯ୍ୟୋଧନ ଓ ରାବଣ କଥା ମନେ ପଡ଼ିଯାଉଛି। ପଶ୍ଚିମବଙ୍ଗ ରାସ୍ତାରେ ଯାଉଛି କି ଓଡ଼ିଶା? ଜଗନ୍ନାଥ ମହାପ୍ରଭୁଙ୍କ ଏଭଳି ଗୁଣ୍ଡାଗର୍ଦ୍ଦି ଓ ଅରାଜକତା କାହାକୁ ଦରକାର ନାହିଁ। ରାଜ୍ୟରେ ମହିଳା ସୁରକ୍ଷିତ ନାହାନ୍ତି ଏବଂ ଜଣେ ମହିଳା ସାଂସଦ ହିସାବରେ ମୁଁ ସୁରକ୍ଷିତ ନୁହେଁ। ରାଜ୍ୟ ସରକାରଙ୍କ ଦାୟିତ୍ୱ ସାଂସଦଙ୍କୁ ସୁରକ୍ଷା ଦେବା। ହେଲେ ଗୋଟିଏ କଥା ସନ୍ଦେହ ହେଉଛି। ମୁଖ୍ୟମନ୍ତ୍ରୀ ଅରାଜକତା ପ୍ରତି ଅବଗତ ଅଛନ୍ତି ତ? ୨ କିମି ଦୂରରେ ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କ ଘର। ଗତକାଲିର ଘଟଣା ବିଷୟରେ ସେ ଅବଗତ ଅଛନ୍ତି। ବୋଧେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସବୁ କଥା ପହଞ୍ଚୁନାହିଁ। ଯଦି ଜାଣି ନାହାନ୍ତି ତେବେ ଏହା ସାଢ଼େ ୪ କୋଟି ଓଡ଼ିଶାବାସୀ ଓ ୨ କୋଟି ୫୦ ଲକ୍ଷ ମହିଳାଙ୍କ ପାଇଁ ଦୁର୍ଭାଗ୍ୟଜନକ କଥା।

ରାଜ୍ୟ ସରକାରଙ୍କୁ ଅନୁରୋଧ, ମହିଳା ସାଂସଦଙ୍କୁ କାମ କରିବା ପାଇଁ ଦିଅନ୍ତୁ। ରାଜ୍ୟ ସରକାରଙ୍କ ଦାୟିତ୍ୱ ନିର୍ବାଚିତ ପ୍ରତିନିଧିଙ୍କୁ ସୁରକ୍ଷା ଦେବା। ଆଜି ଠୁ ରାଜ୍ୟ ସାରା ବୁଲିବି। ରାଜ୍ୟ ସରକାର ସୁରକ୍ଷା ଦେବାକୁ ବାଧ୍ୟ। ମୋତେ ଉଦେଶ୍ୟମୂଳକ ଭାବେ ଟାର୍ଗେଟ କରାଯାଇଛି। ପୁଲିସ ଓ ପ୍ରଶାସନ ଉପରେ ଭରସା ଅଛି। ୨୪ ଘଣ୍ଟା ଭିତରେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏ ବିଷୟରେ ମୁଁ ପୁଣି ପୁଲିସ କମିଶନରଙ୍କୁ ପଚାରିବି। ଏହାସହ ୨୯ ନଭେମ୍ବରରେ ଆରମ୍ଭ ହେଉଥିବା ସଂସଦ ଅଧିବେଶନରେ ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ଅପରାଜିତା। ଏହାସହ ଗତକାଲିର ଆକ୍ରମଣ ପରେ ବି ସେ ଭୟଭୀତ ନାହାଁନ୍ତି ଏବଂ ଆଗକୁ ଆହୁରି ବିକାଶମୂଳକ କାମ ଦ୍ରୁତ ଗତିରେ ହେବ ବୋଲି କହିଛନ୍ତି।

ପ୍ରକାଶ ଯେ ଏହି ମାମଲାରେ ଶହୀଦନଗର ଥାନାରେ ମୋଟ ୩ଟି ମାମଲା ରୁଜୁ ହୋଇଛି। ଇତିମଧ୍ୟରେ ଶୁକ୍ରବାର ଶହୀଦନଗର ଥାନା ପୁଲିସ ସାଇନ୍ସ ପାର୍କ ବସ୍ତିର ଦୁଇ ଯୁବକଙ୍କୁ ଏହି ମାମଲାରେ ଗିରଫ କରିଛି। ଅନ୍ୟପଟେ ସାଂସଦଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିବିଶେଷଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ଶୁକ୍ରବାର ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଭୁବନେଶ୍ୱର ଜିଲ୍ଲା ବିଜେପି। ଦଳୀୟ କର୍ମକର୍ତ୍ତା ଲୋୟର ପିଏମଜି ଆଡ଼କୁ ସଦଳବଳେ ମାଡ଼ି ଆସୁଥିବା ବେଳେ ପୁଲିସ ସେମାନଙ୍କୁ ବ୍ୟାରିକେଡିଂ କରି ଅଟକାଇଥିଲା।