ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ବୁଧବାର ଚନ୍ଦ୍ରଶେଖରପୁର ସ୍ଥିତ ହୋଟେଲ ପଦ୍ମଜା ପ୍ରିମିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟର ସାଂପ୍ରତିକ ରାଜନୈତିକ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ବାବଦରେ ସବିଶେଷ ଆଲୋଚନା ହୋଇଛି। ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ କାର୍ଯ୍ୟକାରିଣୀରେ ରଣନୀତି ପ୍ରସ୍ତୁତ କରି ଏବେଠାରୁ ଶାସକ ଦଳ ବିରୁଦ୍ଧରେ ରଣହୁଙ୍କାର ଦେଇଛି ବିଜେପି।
କାର୍ଯ୍ୟକାରିଣୀ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ, କିନ୍ତୁ ସ୍ମାର୍ଟ ହେଲ୍?ଥ କାର୍ଡ ବଣ୍ଟନ କରାଯାଉଛି। କୋଟି କୋଟି ଟଙ୍କାର ରାଜସ୍ୱ ଖର୍ଚ୍ଚ କରି ହେଲ୍ଥ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି। ମଞ୍ଚରେ ବସି ରହି ନିଜ ଭାଷଣର ଭିଡିଓକୁ ନିଜେ ଦେଖି ତାଳି ମଧ୍ୟ ମାରୁଛନ୍ତି। ଲୋକଙ୍କ ଗହଣକୁ ଯାଉଥିଲେ ହେଁ ସେ ଲୋକଙ୍କ ପାଇଁ ପଦୁଟିଏ କଥା ନିଜ ମୁହଁରେ କହୁନାହାନ୍ତି କି ସେମାନଙ୍କ ସମସ୍ୟା କଥା ଉଠାଉନାହାନ୍ତି। ଏପରିକି ବିଧାନସଭା ଓ ଲୋକସେବା ଭବନକୁ ମଧ୍ୟ ଯାଉନାହାନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ରହିଛନ୍ତି ବୋଲି କାର୍ଯ୍ୟକାରିଣୀକୁ ସମ୍ବୋଧନ କରି ପ୍ରଶ୍ନ କରିଛନ୍ତି ଶ୍ରୀ ମହାନ୍ତି।
କାର୍ଯ୍ୟକାରିଣୀକୁ ସମ୍ବୋଧିତ କରି ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତ ଗଠନର ସ୍ୱପ୍ନକୁ ପୂରଣ କରିବା ପାଇଁ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ କରିଛନ୍ତି। ରାଜ୍ୟରେ ସମସ୍ତ ଘରକୁ ଘର ଯାଇ ମୋଦୀ ସରକାରଙ୍କ ଯୋଜନାକୁ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଛନ୍ତି। ସେହିଭଳି ଆଗାମୀ ପଞ୍ଚାୟତ ନିର୍ବାଚନ ଓଡ଼ିଶାରେ ସରକାର ପରିବର୍ତ୍ତନର ମୂଳଦୁଆ ପକାଇବ ବୋଲି ରାଜ୍ୟ ସହପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର କହିଛନ୍ତି।
ଆଜିର ବୈଠକରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବେକାରୀ, ଦୁର୍ନୀତି, ଡିଏମଏଫ୍ ପାଣ୍ଠି ଅପବ୍ୟବହାର, ରତ୍ନଭଣ୍ଡାର ଚାବି ହଜିବା, ଧାନକିଣାରେ ଅବ୍ୟବସ୍ଥା, ଦୁର୍ବଳ ଜଳସେଚନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଭିତ୍ତିଭୂମି, କେନ୍ଦ୍ରୀୟ ଅର୍ଥ ଆତ୍ମସାତ୍, ଚିଟଫଣ୍ଡ ଦୁର୍ନୀତି, କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା, ବର୍ଦ୍ଧିତ ବିଦ୍ୟୁତ ଦର ଏବଂ ଓବିସିଙ୍କୁ ସଂରକ୍ଷଣରେ ଉପେକ୍ଷା ଭଳି ୧୩ଟି ପ୍ରସଙ୍ଗରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା। ଏ ସଂକ୍ରାନ୍ତୀୟ ଆଲୋଚନାରେ ଦଳର ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିଥିଲେ। ସେହିଭଳି ବିଶ୍ୱ ଭୂମିକା, କରୋନା ଲଢ଼େଇ, ଗରିବ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ, ଦୂରସଞ୍ଚାର, ଉଡାନ୍ ଯୋଜନା, ସାମାଜିକ ସମାନତା, କ୍ରୀଡ଼ା, ପଦ୍ମ ପୁରସ୍କାର ଚୟନ, ଶିକ୍ଷା, ଜନଜାତି ଶିକ୍ଷା, ଜଳ ଜୀବନ ମିଶନ, ରାମାୟଣ ସର୍କିଟ ଏବଂ ଜନଜାତୀୟ ଗୌରବ ଦିବସ ପାଳନ ଭଳି ୧୪ଟି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କୁ କାର୍ଯ୍ୟକାରିଣୀରେ ଧନ୍ୟବାଦ ଦିଆଯାଇ ସ୍ୱତନ୍ତ୍ର ପ୍ରସ୍ତାବ ଗୃହୀତ ହୋଇଥିଲା।
ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ଦଳର ସମସ୍ତ ରାଜ୍ୟ ପଦାଧିକାରୀ, ସାଂସଦ ଓ ବିଧାୟକଗଣ, ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ।