ଇଲେକ୍ଟ୍ରୋନିକ୍ସ ନୀତିକୁ ମଞ୍ଜୁର କଲା ରାଜ୍ୟ କ୍ୟାବିନେଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତିକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ନୀତିକୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଏଥିରେ ପ୍ରଥମ ୧୦ଟି ନୂଆ ନିବେଶ ଓ ସମ୍ପ୍ରସାରଣକୁ ଉତ୍ପାଦନ ଭିତ୍ତିକ ସହାୟତା ମିଳିବ। ସହାୟତା ବାବଦରେ ୫ ବର୍ଷ ଯାଏ ବାର୍ଷିକ କାରବାରର ୧ ପ୍ରତିଶତ ମିଳିବ। ୟୁନିଟ ଗୁଡ଼ିକୁ ପୁଞ୍ଜି ନିବେଶ ଆଧାରରେ ୧୦ରୁ ୨୫୦ କୋଟି ଯାଏଁ ସୟାତା ଦିଆଯିବ। ଉଦ୍ୟୋଗୀଙ୍କୁ ବିଦ୍ୟୁତ ଶୁଳ୍କ ଓ ଇନ୍ସପେକ୍ସନ ଫି’ ୫ ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯିବ। ଯୋଗ୍ୟ ଉଦ୍ୟୋଗୀଙ୍କୁ ବିଦ୍ୟୁତ ବିଲର ୩୦ ପ୍ରତିଶତ ସର୍ବାଧିକ ୫୦ ଲକ୍ଷ ଯାଏଁ ରିହାତି ମିଳିବ। ଉଦ୍ୟୋଗୀଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପଡ୍ୟୁଟି ୧୦୦ ପ୍ରତିଶତ ଛାଡ଼ କରାଯିବ। ଚାଷ ଜମିକୁ ଶିଳ୍ପ ଉପଯୋଗୀ କରିବାକୁ ହେଉଥିବା ଖର୍ଚ୍ଚର ୧୦୦ ପ୍ରତିଶତ ଦିଆଯିବ। ମହିଳା, ଏସି/ଏସଟି ଓ ଭିନ୍ନକ୍ଷମଙ୍କୁ ସର୍ବାଧିକ ୧ କୋଟି ଯାଏଁ ଅତିରିକ୍ତ ସହାୟତା ପ୍ରଦାନ କରାଯିବ। ବ୍ୟାଙ୍କରୁ ଋଣ କରି ଠିକ ସମୟରେ ସୁଝୁଥିଲେ ସୁଧ ଉପରେ ୫ ପ୍ରତିଶତ ସୁଧ ରିହାତି ମିଳିବ। ସଫଳ ଉଦ୍ୟୋଗୀଙ୍କୁ ଉତ୍ପାଦନ ଆରମ୍ଭର ୫ ବର୍ଷ ଯାଏଁ ଏସଜିଏସଟି ଛାଡ଼ ହେବ ବୋଲି ଜଣାପଡ଼ିଛି।