ଭୁବନେଶ୍ୱର,ଏନ୍ଏନ୍ଏସ୍: ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳର ତିନି ଶାଖା ମହିଳା, ଛାତ୍ର ଓ ଯୁବ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବେ । ରନ୍ଧନଗ୍ୟାସର ଅହେତୁକ ଦର ବୃଦ୍ଧି ଏବଂ ଉଜ୍ଜ୍ୱଳା ଯୋଜନାର ବିଫଳତା ନେଇ ଦଳ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବ ବିଜେଡି । ଏନେଇ ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ବ୍ୟୋମକେଶ ରାୟ ଏବଂ ଦେବୀ ରଞ୍ଜନ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ବିଜେଡିର ଏହି ତିନି ନେତା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏଲପିଜି ରନ୍ଧନ ଗ୍ୟାସର ମୂଲ୍ୟ ଢେର ବୃଦ୍ଧି ପାଇଛି ଯାହା ରାଜ୍ୟର ମା’ ଓ ଭଉଣୀମାନଙ୍କ ସହ ସମଗ୍ର ରାଜ୍ୟକୁ ପ୍ରଭାବିତ କରୁଛି । ବିଗତ ସାଢେ ୩ବର୍ଷ ଭିତରେ ରନ୍ଧନ ଗ୍ୟାସର ମୂଲ୍ୟରେ ୭୦% ବୃଦ୍ଧି ଘଟିଛି । ୨୦୧୬-୧୭ ରେ ୧୪.୨ କିଲୋଗ୍ରାମ ରନ୍ଧନଗ୍ୟାସ ଥିବା ଗୋଟିଏ ସିଲିଣ୍ଡରର ମୂଲ୍ୟ ୫୪୯ ଟଙ୍କା ଥିବାବେଳେ ଏହା ବୃଦ୍ଧି ପାଇ ବର୍ତ୍ତମାନ ୯୨୬ ଟଙ୍କାରେ ପହଞ୍ଚିଛି । ୩.୫ ବର୍ଷରେ ଏହି ସିଲିଣ୍ଡର ପିଛା ମୂଲ୍ୟ ୩୭୭ ଟଙ୍କା ବଢିଛି । ଭାରତରେ ଏତେ କମ୍ ସମୟ ମଧ୍ୟରେ ରନ୍ଧନ ଗ୍ୟାସ ଦର ୭୦% ବୃଦ୍ଧି ପାଇବା ପୂର୍ବରୁ କେବେ ଦେଖାଯାଇ ନଥିଲା ।
ପେଟ୍ରୋଲିୟମ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଗୋଟିଏ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୦୧୬-୧୭ ରେ ୫୪୯.୬୯ ଟଙ୍କା ଥିବାବେଳେ ୨୦୨୦-୨୧ ବର୍ଷରେ ତାହା ୬୯୫.୧୫ ଟଙ୍କାକୁ ବଢିଥିଲା ଏବଂ ବର୍ତ୍ତମାନ ଏହା ବୃଦ୍ଧି ପାଇ ୯୨୬ ଟଙ୍କାରେ ପହଞ୍ଚିଛି । ରନ୍ଧନ ଗ୍ୟାସର ମୂଲ୍ୟରେ ଏହି ୭୦% ବୃଦ୍ଧି ଅତ୍ୟନ୍ତ କଷ୍ଟଦାୟକ ଏବଂ ଆମେ, ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ଏକାଠି ହୋଇ ଏହି ଅହେତୁକ ମୂଲ୍ୟ ବୃଦ୍ଧିକୁ ନିନ୍ଦା କରୁଛୁ ଯାହା ଓଡିଶାର କୋଟି କୋଟି ମା’ ଭଉଣୀମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ଏଲପିଜି ରନ୍ଧନ ଗ୍ୟାସର ବ୍ୟାପକ ମୂଲ୍ୟ ବୃଦ୍ଧି ସମସ୍ୟା ଯାହା ଓଡିଶାର ମା’ ଏବଂ ଭଉଣୀମାନେ ଆଜି ସାମ୍ନା କରୁଛନ୍ତି ତାହା ସେମାନଙ୍କର ଏକମାତ୍ର ସମସ୍ୟା ନୁହେଁ ।
ରନ୍ଧନଗ୍ୟାସ ଦର ବୃଦ୍ଧି ସହିତ ଏବେ କେନ୍ଦ୍ରର ଉଜ୍ଜଳା ବିଫଳତା ପଦାରେ ପଡିଛି । ଏହି ଯୋଜନାଟି ସମାଜର ଅବହେଳିତ ଲୋକଙ୍କୁ ଶସ୍ତାରେ ସିଲିଣ୍ଡର ଯୋଗାଇବା ପାଇଁ ବହୁତ ଆଡ଼ମ୍ବରର ସହ ଆରମ୍ଭ ହୋଇଥିଲା କିନ୍ତୁ ଦୁର୍ଭାଗ୍ୟଜନକ ଭାବରେ ଏହା ବିଫଳ ହୋଇଛି । ସର୍ବଶେଷ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ସୂଚନା ଅନୁଯାୟୀ ବହୁ ପ୍ରଚାରିତ ଉତ୍ସବା ଯୋଜନାରେ ରନ୍ଧନ ଗ୍ୟାସର ବ୍ୟବହାର ବହୁତ କମ ରହିଛି ।
ବିଜେଡି ବର୍ତ୍ତମାନ ଓଡିଶାର ତିନି ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ, ଆନ୍ଦୋଳନ, ଧାରଣା ଏବଂ ଘେରାଉ କାର୍ଯ୍ୟକ୍ରମ କରିବୁ । ୨୧ ନଭେମ୍ବର, ୨୦୨୧ରେ କଟକରେ ଥିବା କେନ୍ଦ୍ରାଞ୍ଚଳ ଆରଡିସି କାର୍ଯ୍ୟାଳୟ ଆଗରେ ଆମେ ବିରୋଧ ଏବଂ ଆନ୍ଦୋଳନ କରିବୁ । ନଭେମ୍ବର ୨୨ରେ ସମ୍ବଲପୁରରେ ଥିବା ଉତ୍ତରାଞ୍ଚଳ ଆରଡିସି କାର୍ଯ୍ୟାଳୟ, ନଭେମ୍ବର ୨୩ରେ ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଏଲପିଜି ଗ୍ୟାସର ମୂଲ୍ୟ ବୃଦ୍ଧି ଏବଂ ଉଜ୍ଜ୍ୱଳା ଯୋଜନାର ବିଫଳତା ନେଇ ଆନ୍ଦୋଳନ କରିବୁ । ଅମେ ଆରଡିସିଙ୍କ ମାଧ୍ୟମରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବୁ, ଓଡ଼ିଶା ଏବଂ ଭାରତର ମହିଳାମାନଙ୍କ ଏହି କଷ୍ଟ ପ୍ରତି ତାଙ୍କର ଧ୍ୟାନ ଆକର୍ଷଣ କରି ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ତାଙ୍କର ହସ୍ତକ୍ଷେପ ଲୋଡିବୁ । ଯଦି କେନ୍ଦ୍ର ଆମର ଦାବି ପ୍ରତି ଧ୍ୟାନ ଦେବ ନାହିଁ, ତେବେ ସମଗ୍ର ରାଜ୍ୟରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବୁ ବୋଲି ବିଜେଡିର ତିନି ନେତା ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ବିଧାୟକ ପ୍ରଣବ ବଳବନ୍ତରାୟ ଉପସ୍ଥିତ ଥିଲେ ।