ବିଡବ୍ଲ୍ୟୁଏଫ୍ ପୁରସ୍କାର ଦୌଡ଼ରେ ପ୍ରମୋଦ: ପାରା ବ୍ୟାଡମିଣ୍ଟନ୍ ପ୍ଲେୟାର ଓ ପେୟାର ଅଫ୍ ଦି ଇୟର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଟୋକିଓ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା, ଖେଳରତ୍ନ ତଥା ଓଡ଼ିଶା କ୍ରୀଡ଼ାର ଗର୍ବ ଓ ଗୌରବ ପ୍ରମୋଦ ଭଗତ ଗୋଟିଏ ଦିନରେ ଦୁଇଟି ଅନନ୍ୟ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ବିଡବ୍ଲ୍ୟୁଏଫ୍ ପାରା ବ୍ୟାଡମିଣ୍ଟନ୍ ପ୍ଲେୟାର ଅଫ୍ ଦି ଇୟର ଏବଂ ପାରା ବ୍ୟାଡମିଣ୍ଟନ୍ ପେୟାର ଅଫ୍ ଦି ଇୟର ମନୋନୟନ ତାଲିକାରେ ସ୍ଥାନ ପାଇଛନ୍ତି ସେ। ଗୁରୁବାର ବିଡବ୍ଲ୍ୟୁଏଫ୍ (ବିଶ୍ବ ବ୍ୟାଡମିଣ୍ଟନ୍ ମହାସଂଘ) ପକ୍ଷରୁ ପ୍ରକାଶ କରାଯାଇଥିବା ୬ ଜଣିଆ ବର୍ଷର ଶ୍ରେଷ୍ଠ ସମ୍ଭାବ୍ୟ ପାରା ବ୍ୟାଡମିଣ୍ଟନ୍ ଖେଳାଳି ତାଲିକାରେ ପ୍ରମୋଦ ସ୍ଥାନ ପାଇବା ପରେ ରାଜ୍ୟ କୀଡ଼ା ଦୁନିଆରେ ଖୁସିର ଲହରି ଖେଳିଯାଇଛି। ଏଥିଲାଗି ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

ପ୍ରମୋଦ ମଧ୍ୟ ପୁରୁଷ ଯୁଗଳ ପାରା ବ୍ୟାଡମିଣ୍ଟନ୍ ପେୟାର ଅଫ୍ ଦି ଇୟର ଦୌଡ଼ରେ ରହିଛନ୍ତି। ଏହି ବର୍ଗରେ ପ୍ରମୋଦ ଏବଂ ତାଙ୍କ ପୁରୁଷ ଯୁଗଳ ସାଥୀ ମନୋଜ ସରକାର ୬ ଜଣିଆ ସମ୍ଭାବ୍ୟ ତାଲିକାରେ ସ୍ଥାନ ପାଇଛନ୍ତି। ପୁରୁଷ ଏକକ ପାରା ବ୍ୟାଡମିଣ୍ଟନ୍ ପ୍ଲେୟାର ଅଫ୍ ଦି ଇୟର ମନୋନୟନ ତାଲିକାରେ ପ୍ରମୋଦଙ୍କ ସହ ଥିବା ଅନ୍ୟ ଖେଳାଳିମାନେ ହେଲେ ମାଲେସିଆର ଚେ ଲିକ୍ ହୋଉ, ଜାପାନର ଦାଇକି କାଜିୱାରା, କୋରିଆର କିମ୍ ଜଙ୍ଗଜୁନ୍, ଫ୍ରାନ୍ସର ଲୁକାସ ମାଜୁର ଏବଂ ଚୀନର କ୍ୟୁ ଜିମୋ।

ସେହିଭଳି ପୁରୁଷ ଯୁଗଳ ପାରା ବ୍ୟାଡମିଣ୍ଟନ୍ ପେୟାର ଅଫ୍ ଦି ଇୟର ଦୌଡ଼‌ରେ ପ୍ରମୋଦ ଓ ମନୋଜଙ୍କ ସହ ସାମିଲ ଥିବା ଅନ୍ୟ ଖେଳାଳିମାନେ ହେଲେ କୋରିଆର କିମ୍ ଜୁଙ୍ଗଜୁନ୍-ଲି’ ଡଙ୍ଗ ସେପ୍, ଚୀନର ମାଇ ଜିଆନପେଙ୍ଗ-କ୍ୟୁ ଜିମୋ, ଫ୍ରାନ୍ସର ଲୁକାସ ମାଜୁର-ଫୌଷ୍ଟିନ ନୋଏଲ, ଜପାନର ସରିନା ସାତୋମି-ୟୁମା ୟାମାଜାକି ଏବଂ ଇଣ୍ଡୋନେସିଆର ହାରି ସୁସାନ୍ତୋ-ଲିଆନି ରାତ୍ରୀ ଓକତିଲା। ପ୍ରମୋଦ ଟୋକିଓ ପାରାଲିମ୍ପିକ୍ସର ଏସ୍‌ଏଲ୍-୩ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ବର୍ଗରେ ମନୋଜ କାଂସ୍ୟ ପଦକ ହାସଲ କରିଥିଲେ।
ମାତ୍ର ୪ ବର୍ଷ ବୟସରେ ପୋଲିଓ ଆକ୍ରାନ୍ତ ହୋଇଥିବା ୩୩ ବର୍ଷୀୟ ପ୍ରମୋଦ ସଂପ୍ରତି ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ରହିଛନ୍ତି। ସେ ଅଲିମ୍ପିକ୍ସ ସହ ଏସୀୟ ପାରା କ୍ରୀଡ଼ା, ବିଶ୍ବ ଚାମ୍ପିଅନସିପ୍, ଆଇଡବ୍ଲ୍ୟୁଏଏସ୍ ବିଶ୍ବ କ୍ରୀଡ଼ା, ଏସିଆନ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ ଆଦି ଖେଳରେ ପଦକ ଜିତଛନ୍ତି।