ଲୋକଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚାଇବ ମାସ୍କଟ “ଟିକି ମାଉସୀ’

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ଗାଁଗହଳିଠାରୁ ସହର ପର୍ୟ୍ୟନ୍ତ ସବୁଠି ମହିଳା ଏବଂ ଶିଶୁମାନଙ୍କ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କିତ ସଚେତନତା ବାର୍ତା “ଟିକି ମାଉସୀ’ ଜରିଆରେ ପହଂଚାଯିବ । ରାଜ୍ୟର ମହିଳା ଓ ଶିଶୁମାନଙ୍କ ପାଇଁ ବିଭିନ୍ନ ଯୋଜନା, ଶିଶୁ ଏବଂ ମହିଳା ପୁଷ୍ଟି, ମମତା ଯୋଜନା, ମିଶନ ଶକ୍ତି ଆଦି ସମସ୍ତ କାର୍ୟ୍ୟକ୍ରମ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଭଳି ଏକ ଅଭିନବ ପରିକଳ୍ପନା ସହ ବିଭାଗ ତରଫରୁ “ଟିକି ମାଉସୀ’ ମାସ୍କଟର ଅନାବରଣ କରାଯାଇଛି ।

ଗାଁମାନଙ୍କରେ ପ୍ରତି ପରିବାରରେ ଜଣେ ଏଭଳି ମଧ୍ୟବୟସ୍କା ଗୁରୁଜନ ଶ୍ରେଣୀୟା ମହିଳା ଥାଆନ୍ତି ଯାହାଙ୍କଠାରେ ମହିଳା, ଶିଶୁ ଏବଂ କିଶୋରୀମାନଙ୍କ ସ୍ୱାସ୍ଥ୍ୟ ରକ୍ଷା, ପୁଷ୍ଟି ସାଧନ, ସୁରକ୍ଷା ସଂପର୍କରେ ଗଭୀର ଜ୍ଞାନ ଥାଏ । ସମସ୍ତଙ୍କର ପ୍ରଶ୍ନର ଉତର ତାଙ୍କ ପାଖରେ ଥାଏ । ସବୁ ସମସ୍ୟାର ସମାଧାନ ବି ସେ ସାଙ୍ଗେ ସାଙ୍ଗେ ବାହାର କରନ୍ତି । ସେ ହେଉଛନ୍ତି ଆମ “ଟିକି ମାଉସୀ’ । ଏଥି ସହିତ ବିଭିନ୍ନ ଯୋଜନା ସବୁକୁ ଲୋକଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ବ୍ୟାପକ ସଂଚାର ନୀତି ଏବଂ ଏହା ସଂପର୍କିତ ଲିଫ୍ଲେଟ୍, ପୋଷ୍ଟର ଏବଂ ରେଡ଼ିଓ ଜିଙ୍ଗଲର ମଧ୍ୟ ଲୋକାର୍ପଣ ହୋଇଛି ।

ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବ୍ୟାପକ ସଂଚାର ନୀତି ଏବଂ ମାସ୍କଟ ଅନାବରଣ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ପ୍ରତ୍ୟେକ କାର୍ୟ୍ୟକ୍ରମରେ ଯୋଗାଯୋଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସରକାରୀ ଯୋଜନା ବିଷୟରେ ଲୋକଙ୍କ ପାଖରେ ସୂଚନା ପହଂଚାଇବା ଯେତିକି ଆବଶ୍ୟକ ଲୋକ ଯେପରି ଏହି ଯୋଜନାର ସୁଫଳ ପାଇପାରିବେ ସେ ନେଇ ବ୍ୟବସ୍ଥା ହେବା ମଧ୍ୟ ସେତିକି ଆବଶ୍ୟକ ।

ଏହି ପରିପ୍ରେକ୍ଷୀରେ ଏବେ ବିଭାଗ ଦ୍ୱାରା ସୂଚନା, ଶିକ୍ଷା, ସଂଚାର କୌଶଳକୁ ହାତକୁ ନିଆଯାଇଛି । ଏହି କୌଶଳର ଅଂଶବିଶେଷ ଭାବେ ବିଭାଗର ମାସ୍କଟ “ଟିକି ମାଉସୀ’ ନିଶ୍ଚିତ ଭାବେ ଆଦୃତ ହେବ ଏବଂ ଏହା ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତନ ଆସିପାରିବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ମତବ୍ୟକ୍ତ କରିଥିଲେ ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ ସମସ୍ତ ଯୋଜନା ପାଇଁ ଏକ ସମନ୍ୱିତ ସଂଚାର ନୀତି ଏବଂ “ଟିକି ମାଉସୀ’ ମାସ୍କଟର ପରିକଳ୍ପନା କରାଯାଇଛି ।

“ଟିକି ମାଉସୀ’ ମାସ୍କଟ ଜରିଆରେ ଆମର ଅଙ୍ଗନବାଡ଼ି କର୍ମୀମାନେ ଘରକୁ ଘର ବୁଲି ସଚେତନତାର ବାର୍ତା ପହଂଚାଇବେ ଏବଂ ଏଥିରେ କେବଳ ମା ନୁହେଁ ବାପାମାନଙ୍କୁ ସାମିଲ କରାଯିବା ପାଇଁ ଉଦ୍ୟମ କରାଯିବ । ଆମର ନାଗରିକମାନଙ୍କୁ ତୃଣମୂଳସ୍ତରରେ ସେବା ଯୋଗାଉଥିବା ଅଙ୍ଗନବାଡ଼ି କର୍ମୀମାନଙ୍କୁ ବିଭିନ୍ନ ପ୍ର·ର ଉପକରଣ ଜରିଆରେ ଆମେ ସଶକ୍ତ କରିବାକୁ ଉଦ୍ୟମ କରୁଛୁ । “ଟିକି ମାଉସୀ’ ଜରିଆରେ ବାଲ୍ୟବିବାହ ନିରୋଧଠାରୁ ଆରମ୍ଭ କରି ପୁଷ୍ଟିସାଧନ ପର୍ୟ୍ୟନ୍ତ ସମସ୍ତ କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ଏହା ଏକ ସମନ୍ୱିତ ଉଦ୍ୟମ ।

ଯୋଗାଯୋଗ ବ୍ୟବସ୍ଥାରେ ସୂଚନା ଓ ଲୋକସଂପର୍କ ବିଭାଗ ଏକ ବିଶେଷ ଭୂମିକା ରହିଛି । ଏହି ପରିପ୍ରେକ୍ଷୀରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଧେଶକ ଶ୍ରୀ କୃପାସିନ୍ଧୁ ମିଶ୍ର କହିଲେ ଯେ ସଚେତନତାର ବାର୍ତାର ସଂଚରଣ ଏବଂ ରୂପାନ୍ତରଣ ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରାଯାଉଛି । ଏହି ଭଳି ମାସ୍କଟ ଜରିଆରେ ପ୍ର·ର କାର୍ୟ୍ୟକ୍ରମ କରାଗଲେ ତାହା ଲୋକପ୍ରିୟ ହେବ ଏବଂ ସମାଜର ସବୁଠାରୁ ତଳସ୍ତରରେ ଥିବା ଲୋକଟି ମଧ୍ୟ ଯୋଜନାର ସୁଫଳ ଲାଭ କରିପାରିବ । ୟୁନିସେଫ୍ ଓଡ଼ିଶାର ମୁଖ୍ୟ ଶ୍ରୀମତୀ ମୋନିକା ନିଏଲସନ୍ ପ୍ର·ରପ୍ରସାର ଦିଗରେ ୟୁନିସେଫ୍ର ଦାୟିତ୍ୱ ଏବଂ ପ୍ରତିବଦ୍ଧତା ସଂପର୍କରେ ସୂଚନା ଦେଇଥିଲେ ।

ଏହି ଅବସରରେ “ମୋ କଲେଜ୍’ କାର୍ୟ୍ୟକ୍ରମର ମୁଖ୍ୟ ଆକାଶ ଦାସ ନାୟକ ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗର ଏହି ଅଭିନବ ପ୍ର·ର କୌଶଳକୁ ପ୍ରଶଂସା କରିବା ସହ ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ଏବଂ ଏଥି ପାଇଁ ସେମାନଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ଏବଂ ସମର୍ଥନ ଦେବା ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ । ବାଲୁକା ଆନିମେସନ୍, ରେଡିଓ ଜିଙ୍ଗଲ, କଣ୍ଢେଇ ନାଚ ଆଦି ମାଧ୍ୟମରେ “ଟିକି ମାଉସୀ’ଙ୍କ ବ୍ୟକ୍ତିତ୍ୱ ଏବଂ ପ୍ର·ର ଶୈଳୀକୁ ବେଶ୍ ଆକର୍ଷଣୀୟ ଭାବେ ପ୍ରଦର୍ଶନ କରାଯାଇଥିଲା ।

ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ଶ୍ରୀ ରଶ୍ମିରଞ୍ଜନ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ
ୟୁନିସେଫ୍ ତରଫରୁ ଶ୍ରୀମତୀ ଲୋପାମୁଦ୍ରା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି କାର୍ୟ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଧେଶକ ଶ୍ରୀମତୀ ସୁଜାତା ଆର୍ କାର୍ତିକେୟନ୍, ମହିଳା କମିଶନରଅଧ୍ୟକ୍ଷା ମିନତି ବେହେରା, ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ବିଭାଗର ଉପଦେଷ୍ଟା ସୁଲତା ଦେଓ, ମିଶନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ରଙ୍କ ସମେତ ରାଜ୍ୟର ୩୦ଟି ଜିଲ୍ଲାରୁ ଡି.ଏସ୍.ଡବ୍ଲ୍ୟୁ.ଓ, ସିଡିପିଓ ଏବଂ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।