ରାଜ୍ୟରେ ନୂଆ ପୁଲିସ ଷ୍ଟେସନ ଖୋଲିବା ପାଇଁ ବିଧାନସଭାରେ ଉଦବେଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ନୂଆ ଥାନା ଖୋଲିବା ନେଇ ଆଜି ବିଧାନସଭାରେ ଉଦବେଗ ଦେଖାଦେଇଛି। ୬୮ଟି ନୂଆ ଥାନା ୧୦୩ଟି ଫାଣ୍ଡି ଏବଂ ୩ ଥାନାର ଅପଗ୍ରେଡ କରିବା ପାଇଁ ୬୦ ଜଣ ବିଧାୟକ ପ୍ରସ୍ତାବ ଦେଇଥିଲେ। ବାଚସ୍ପତିଙ୍କ ରୁଲିଂ ଓ ବିଧାୟକମାନଙ୍କ ପ୍ରସ୍ତାବ ପରେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନଥିବାରୁ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ସେପଟେ ନୟାଗଡ଼ର ଋଣପୁରର ଶାସକ ଦଳର ନେତା ବିଧାୟକ ସତ୍ୟନାରାୟଣ ପ୍ରଧାନ ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ଉଦବେଗ ପ୍ରକାଶ କରିଥିଲେ। ପ୍ରଶ୍ନକାଳରେ ସେ କହିଥିଲେ ଅଗଷ୍ଟ ପହିଲା ସୁଦ୍ଧା ୧୧ ହଜାର ୪୫୬ ପୁଲିସ ପଦବୀ ଖାଲି ରହିଛି। ସେଥିରୁ ୧୩ଟି ଡିଆଇଜି, ୧୫ଟି ଏସପି, ୨୪୮ ଇନସ୍ପେକ୍ଟର ପଦବୀ ଖାଲି ରହିଛି। ରାଜ୍ୟରେ ଥାନା ଏବଂ ଫାଣ୍ଡି ଖୋଲିବା ନେଇ ଗୃହରେ ୪୦ ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତି ରୁଲିଂ ଦେଇଛନ୍ତି। ପୁଲିସ ଡିଜି, ଡିଆଇଜି କ୍ରାଇମବ୍ରାଞ୍ଚ ଏବଂ ଗୃହ ସଚିବଙ୍କୁ ଡାକି ଆଲୋଚନା କରିବାକୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଶ୍ନକାଳ ସରିବା ପରେ ବୈଠକ ଗୃହରେ ଏକ ବିବୃତ୍ତି ରଖନ୍ତୁ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।