‘ପ୍ରେରଣାର ଉତ୍ସ ହେବ ଏହି ଐତିହାସିକ ବିଜୟ’- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ହକି ଟିମ୍। ଦଳ ୪ ଦଶନ୍ଧି ପରେ ପଦକ ଜିତିଛି। ଗୁରୁବାର ଖେଳାଯାଇଥିବା ଜର୍ମାନୀ ବିପକ୍ଷ ମୁକାବିଲାରେ ଟିମ୍ ଇଣ୍ଡିଆ ୫-୪ ଗୋଲରେ ମ୍ୟାଚ୍ ଜିତି ନେଇଛି। ଏହାସହ ୪୧ ବର୍ଷ ପରେ ପଦକ ଉପରେ କବଜା କରିଛି।

ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳକୁ ଚାରିଆଡୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ମନ୍ତ୍ରୀ, ଖେଳାଳି ଆଦି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ନବୀନ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତୀୟ ହକି ଟିମକୁ ଅଭିନନ୍ଦନ। ଦଳ ଜବରଦସ୍ତ ବିଜୟ ହାସଲ କରି ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି। ଏହା ହେଉଛି ଐତିହାସିକ ବିଜୟ। ଏହି ବିଜୟ ଆଗାମୀ ଦିନରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ। ସୂଚନାଯୋଗ୍ୟ, ୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ୍‌ର ପ୍ରାୟୋଜକ ଅଛି। ହକି ପାଇଁ ଓଡ଼ିଶାର ଅବଦାନ ମଧ୍ୟ ଅନନ୍ୟ।