ରାଜ୍ୟରେ ଚିନ୍ତା ବଢାଉଛି କରୋନା ମୃତ୍ୟୁ ସଂଖ୍ୟା; ନେଲା ଆଉ ୬୮ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲାରେ ହ୍ରାସ ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୬୦ ତଳକୁ ଖସୁନି। ରାଜ୍ୟରେ ଦୈନନ୍ଦିନ କରୋନା ମୃତ୍ୟୁକୁ ନେଇ ଚିନ୍ତାରେ ସରକାର। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଆଉ ୬୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୨୩୬କୁ ବୃଦ୍ଧି ପାଇଛି।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩ ଆକ୍ରାନ୍ତ ଆଖି ବୁଜିଥିବାବେଳେ ପୁରୀ ଓ ସୁନ୍ଦରଗଡ଼ରୁ ୧୨ ଜଣ ଲେଖାଏଁ, କଟକରୁ ୧୧, କେନ୍ଦ୍ରାପଡ଼ାରୁ ୪, ବରଗଡ଼ରୁ ୩, ଢେଙ୍କାନାଳ, ବାଲେଶ୍ୱରରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବାଦ ଭଦ୍ରକ, ବଲାଙ୍ଗିର, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, ନବରଙ୍ଗପୁର, ସମ୍ବଲପୁର, ନୟାଗଡ଼, ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ।