ଭୁବନେଶ୍ୱର,ଏନ୍ଏନ୍ଏସ୍: ରଜ୍ୟରେ ଦୀର୍ଘ ଦେଢ଼ବର୍ଷ ସ୍କୁଲ୍ ବନ୍ଦ ରହିବା ପରେ ଆଜିଠୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ। ଏଥିପାଇଁ ସ୍କୁଲ ଗୁଡିକୁ ବିଶୋଧନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓରଇ(ଏସଓପି) ଲାଗୁ କରାଯାଇଛି। ଏହା ଅନୁଯାୟୀ ସ୍କୁୁଲରେ ଛାତ୍ରଛାତ୍ରୀ ମାନଙ୍କ ବସିବାଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଆଇସୋଲେସନ ବ୍ୟବସ୍ଥା କରାଯାଇଛି। ତେବେ ସ୍କୁଲ ଆସିବା ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ପିତା ମାତାଙ୍କ ଠାରୁ ଅନୁମତି ପତ୍ର ଆଣିବାକୁ ବାଧ୍ୟତାମୂଳକ କରାଯାଇଛି।
ତେବେ ଯେଉଁ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଆସିପାରିବେ ନାହିଁ ସେମାନଙ୍କ ପାଇଁ ଅନଲାଇନ୍ ମାଧ୍ୟମରେ ପଢିବାକୁ ବ୍ୟବସ୍ଥା କରାଯାଇଛି। ତେବେ ଗତକାଲି ଗଣଶିକ୍ଷା ମନ୍ତ୍ରୀ ଦେଇଥିବା ସୂଚନା ମୁତାବକ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ଜିଲ୍ଲାକୁ ନୋଡାଲ ଅଫିସର ମାନଙ୍କୁ ପଠାଯାଇଛି। ତେବେ ସ୍କୁଲରେ ପିଲାମାନଙ୍କ ଆସ୍ଥାନ ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତି ନେଇଛନ୍ତି। ଏହା ସହିତ ସ୍କୁଲ ଗୁଡିକରେ ଛାତ୍ରବାସ ଗୁଡିକ ମଧ୍ୟ ଆଜିଠୁ ଖୋଲିବ। ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ନିର୍ଦେଶ ଅନୁଯାୟୀ ସ୍କୁଲ ପରିସରରେ ଥିବା ପାଇଖାନା ଗୁଡିକୁ ନିୟମିତ ଭାବରେ ସଫା କରାଯିବ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆବଶ୍ୟକ ଦୂରତ୍ୱ ବଜାୟ ରଖାଯିବ। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ପରିମାଣରେ ହ୍ୟାଣ୍ଡ ସାନିଟାଇଜର, ସାବୁନ ରଖିବା ବାଧ୍ୟତାମୂଳକ କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷ ମାନେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଯୋଗାଯୋଗରେ ରହିବେ। କୌଣସି ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କଲେ ସେଠାରେ ତାଙ୍କର ଚିକିତ୍ସା କରାଯିବାକୁ ନିର୍ଦେଶ ରହିଛି।