ଚାଷୀ ପଞ୍ଜିକରଣ ଅବଧି ବଢ଼ାଇବାକୁ ଦାବିକଲା ବିଜେପି

  • ଭୁବନେଶ୍ୱର: ଖରିଫ ଋତୁରେ ଧାନ ବିକ୍ରି ପାଇଁ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହୋଇଥିବା ଚାଷୀ ପଞ୍ଜିକରଣ ଅବଧିକୁ ସେପ୍ଟେମ୍ବର ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବିଜେପି ଦାବି କରିଛି। ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଆଜି ରାଜ୍ୟ ସରକାରଙ୍କ ସମବାୟ ଓ କୃଷି ବିଭାଗର ସଚିବଙ୍କୁ ଭେଟି ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଅବଗତ କରିବା ସହ ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ଅବଧି ବୃଦ୍ଧି କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଏବେ ଚାଷୀ ପଞ୍ଜିକୃତ କରିବାର କାର୍ଯ୍ୟ ରାଜ୍ୟର ସେବା ସମବାୟ ସୋସାଇଟିଗୁଡ଼ିକ ଜରିଆରେ ଆରମ୍ଭ ହୋଇଛି। ସେବା ସମବାୟ ସୋସାଇଟିଗୁଡ଼ିକରେ ଏବେ ଚାଷୀଙ୍କୁ ଋଣ ପ୍ରଦାନ, ଫସଲ ବୀମା ପ୍ରିମିୟମ ଟଙ୍କା ଜମା ଆଦି କାର୍ଯ୍ୟ ମଧ୍ୟ ଚାଲିଛି। ଅଧିକାଂଶ ସୋସାଇଟିରେ କର୍ମଚାରୀଙ୍କ ଘୋର ଅଭାବ ଅଛି।
    ଗୋଟିଏ ମାସ ଭିତରେ ଯେତେ ଚାଷୀ ଧାନବିକ୍ରି ପାଇଁ ପଞ୍ଜିକୃତ କରିବା ପାଇଁ ଚାହିଁବେ ସମସ୍ତ ଚାଷୀ ପଞ୍ଜିକୃତ କରିପାରିବା ଭଳି ସମ୍ଭାବନା ଦେଖାଯାଉନାହିଁ। ତେଣୁ ଧାନ ବିକ୍ରି ପାଇଁ ଚାଷୀଙ୍କ ପଞ୍ଜିକୃତ ଅବଧିକୁ ବୃଦ୍ଧି କରାଯାଉ। ଏଥିସହ ସାର କଳାବଜାରକୁ ନେଇ ସେ ଚିନ୍ତା ପ୍ରକଟ କରି କହିିଛନ୍ତି ଯେ, ଚାଷ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଏବେ ରାଜ୍ୟରେ ସାରର କଳାବଜାର ଆରମ୍ଭ ହୋଇଗଲାଣି। ରାଜ୍ୟରେ ସାର କଳାବଜାରୀ ବ୍ୟବସାୟୀମାନେ ପୁଣି ଥରେ ସକ୍ରିୟ ହୋଇ ପଡ଼ିଛନ୍ତି। ୟୁରିଆ ସାର ସରକାରୀ ଦର ପ୍ୟାକେଟ୍ ୨୬୬.୫୦ ଟଙ୍କା ଥିବାବେଳେ ଏବେ ରାଜ୍ୟର ବିଭିନ୍ନ ଖୋଲା ବଜାରରେ ୪ଶହ ଟଙ୍କାରେ ବିକ୍ରି ହେଉଛି। ସେହିପରି ଡିଏପି ସାର ୧୨ଶହ ଟଙ୍କା ସରକାରୀ ଦରରୁ ୧୬ଶହ ଟଙ୍କା, ପଟାସ୍ ୯୭୫ଟଙ୍କାରୁ ୧୧ଶହ ଟଙ୍କାରେ କଳାବଜାରରେ ବିକ୍ରି ଚାଲିଛି। ତେଣୁ ରାଜ୍ୟରେ ଚାଲିଥିବା ସାରର କଳାବଜାରରେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ରୁଜୁ କରିବା ପାଇଁ ବିଜେପି ଦାବି କରିଛି।