- ଭୁବନେଶ୍ୱର: ପେଟ୍ରୋଲ୍, ଡିଜେଲ୍, ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରଦାମ୍ ବୃଦ୍ଧି ବିରୋଧରେ ପ୍ରମୁଖ ବାମପନ୍ଥୀ ଦଳମାନଙ୍କ ଦ୍ୱାରା ଆସନ୍ତା ୧୫ ତାରିଖରେ ୬ଘଣ୍ଟିଆ ଓଡ଼ିଶା ବନ୍ଦ୍ ଡାକରାକୁ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସଏଫ) ସମର୍ଥନ ଜଣାଇଛି। ଅର୍ନ୍ତଜାତୀୟ ବଜାରରେ ଅଶୌଧିତ ତୈଳ ଦର ହ୍ରାସ ପାଇଥିବାବେଳେ ଆମ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଲଗାତାର ବୃଦ୍ଧିପାଇ ଶତକ ପାର କରିସାରିଛି। ଖାଇବା ତେଳର ଦାମ୍ ୨୦୦ଟଙ୍କା ଓ ସମସ୍ତ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ସାଧାରଣ ଜନଜୀବନକୁ ଦୁର୍ବିସହ କରିପକାଇଛି। ଏହାର ପ୍ରତିବାଦରେ ଓ ତୁରନ୍ତ କୋଭିଡ୍ ସତର୍କତା ସହ ଶିକ୍ଷାନୁଷ୍ଠାନ ଖୋଲିବା ଦାବିରେ ଛାତ୍ର ସମାଜ ଓଡ଼ିଶା ବନ୍ଦ ଡାକରାକୁ ସଫଳ କରିବା ପାଇଁ ରାସ୍ତାକୁ ଓହ୍ଲାଇବାକୁ ଏଆଇଏସ୍ଏଫ୍ ରାଜ୍ୟ ପରିଷଦ ପକ୍ଷରୁ ଆହ୍ୱାନ ଦିଆଯାଇଛି।