ଶ୍ରୀଗୁଣ୍ଡିଚା ଯାତ୍ର, ଚାଲୁଛି ପହଣ୍ଡି ବିଜେ

ପୁରୀ,ଏନ୍ଏନ୍ଏସ୍: ଆଜି ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ପୁରୀରେ ଅନୁଷ୍ଠିତ ହେଉଛି ପବିତ୍ର ରଥଯାତ୍ରା। ଶ୍ରୀଜିଉଙ୍କ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ ହେବା ପରେ ଆରମ୍ଭ ହୋଇଛି ପହଣ୍ଡି ବିଜେ। ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିବେ ଶ୍ରୀଜିଉ। ଏହି ଦିନ ମହାପ୍ରଭୁଙ୍କ ପ୍ରାତଃକାଳୀନ ମଙ୍ଗଳ ଆଳତି, ଅବକାଶ, ବଲ୍ଲଭ, ଖେଚେଡ଼ି ଭୋଗ ଆଦି ନୀତି ସମାପନ ପରେ ତିନି ରଥରେ ନେତ ଓ କଳସ ସ୍ଥାପନ ହୋଇ ରଥମାନଙ୍କ ପ୍ରତିଷ୍ଠା ଓ ପରେ ପରେ ମଙ୍ଗଳାର୍ପଣ ତଥା ପହଣ୍ଡି ବିଜେ ନୀତି ଆରମ୍ଭ ହୁଏ।

ଘଣ୍ଟା, କାହାଳି ଓ ତେଲେଙ୍ଗି ବାଜା ତାଳେ ତାଳେ ଚକ୍ରରାଜ ସୁଦର୍ଶନ, ମହାପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ସେବକମାନେ ଦୋଳାୟିତ ଢଙ୍ଗରେ ତିନି ରଥକୁ ନେବେ। ପ୍ରମୁଖ ବିଗ୍ରହ ମାନଙ୍କ ପହଣ୍ଡି ସରିବା ପରେ ମହାଜନ ସେବକ ମାନେ ବିଜେ ପ୍ରତିମା ଯଥା ରାମ ଓ କୃଷ୍ଣଙ୍କୁ ତାଳଧ୍ଵଜ ଓ ମଦନମୋହନଙ୍କୁ ନନ୍ଦିଘୋଷ ରଥରେ ସ୍ଥାପିତ କରିବେ।

ଏହାପରେ ଗଜପତି ମହାରାଜା ରୌପ୍ୟ ତାମଜାନରେ ଆସି କ୍ରମାଗତ ତିନି ରଥ ଆରୋହଣ କରି ପ୍ରଥମେ ପ୍ରାର୍ଥନା ଅର୍ପଣ କରିବେ ଓ ପରେ ପରେ ସୁବର୍ଣ୍ଣ ବେଣ୍ଟ ଓ ରୌପ୍ୟ ଖାଡି ଲାଗିଥିବା ପହଁରାରେ ସୁବାସିତ ଚନ୍ଦନ ଜଳ ଓ ପୁଷ୍ପସିଞ୍ଚନ ସହ ରଥ ମାର୍ଜନା କରିବେ ଯାହା ଛେରା ପହଁରା ନାମରେ ସୁବିଦିତ।

ରଥ ଟଣା ବେଳେ ପ୍ରଥମେ ତାଳଧ୍ଵଜ ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି। ରଥ ଅଟକିବା ପରେ ରଥଉପରେ ସକାଳ ଧୂପ ଓ ପରବର୍ତ୍ତୀ ନୀତି ହେବ। ପରଦିନ ରଥ ଉପରେ ଆନୁଷଙ୍ଗିକ ନୀତି ଶେଷ ହୋଇ ସନ୍ଧ୍ୟା ଧୂପ ପରେ ଶ୍ରୀବିଗ୍ରହ ମାନେ ଗୋଟି ପହଣ୍ଡିରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିବେ।