ସାର୍ ନୁହେଁ, ବସ୍‌! ଏମିତି ଡାକିବାକୁ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଦେଶର ନୂଆ ରେଳମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ଅଶ୍ୱିନୀ ବୈଷ୍ଣବ। କାର୍ଯ୍ୟଭାର ଗ୍ରହଣ କରିବାର ପ୍ରଥମ ଦିନରେ ମନ୍ତ୍ରଣାଳୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସେ କାର୍ଯ୍ୟ ସମୟସାରଣୀରେ ପରିବର୍ତ୍ତନ କରିଛନ୍ତି। ଏଣିକି ସକାଳ ୭ରୁ ଅପରାହ୍ନ ୪ ଏବଂ ଅପରାହ୍ନ ୩ରୁ ରାତି ୧୨ ଏହିପରି ଦୁଇଟି ସିଫ୍ଟରେ ମନ୍ତ୍ରଣାଳୟ କାର୍ଯ୍ୟକ୍ରମ ଚାଲିବ। ଇତିମଧ୍ୟରେ ଶ୍ରୀ ବୈଷ୍ଣବଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ମନ୍ତ୍ରଣାଳୟର ଜଣେ ଇଞ୍ଜିନିୟରଙ୍କୁ ପାଖକୁ ଡାକି ତାଙ୍କୁ ସାର୍ ବଦଳରେ ବସ୍ ବୋଲି ସମ୍ବୋଧନ କରିବାକୁ କହୁଥିବାର ନଜର ଆସୁଛନ୍ତି।

ଏହି ଭିଡିଓଟି ଭାଇରାଲ ହେବାପରେ ଅଶ୍ୱିନୀ ବୈଷ୍ଣବ କାହିଁକି ଏପରି କହିଲେ ଏନେଇ ଅନେକ ଲୋକ ପ୍ରଶ୍ନ କରିଛନ୍ତି। ତେବେ ଭିଡିଓଟିର ପ୍ରଚ୍ଛଦପଟ୍ଟରେ ଏକ ରୋଚକ ତଥ୍ୟ ଲୁଚିରହିଛି। ଘଟଣା ଏହିପରି ଯେ ଶ୍ରୀ ବୈଷ୍ଣବ ରାଜସ୍ଥାନରେ ଯେଉଁ ସ୍କୁଲରେ ପାଠ ପଢ଼ୁଥିଲେ, ଇଞ୍ଜିନିୟର ଜଣକ ମଧ୍ୟ ସେହି ସ୍କୁଲର ଛାତ୍ର। ଜଣେ କର୍ମଚାରୀଙ୍କ ମୁହଁରୁ ଏ ବାବଦରେ ଜାଣିବା ପରେ ଶ୍ରୀ ବୈଷ୍ଣବ ଉକ୍ତ ଇଞ୍ଜିନିୟରଙ୍କୁ ପାଖକୁ ଡାକିବା ସହ ସ୍ନେହରେ ଆଲିଙ୍ଗନ କରିଥିଲେ ଏବଂ ତାଙ୍କୁ କହିଥିଲେ ଯେ ଆଜିଠାରୁ ସାର୍ ନଡାକି ବସ୍ ବୋଲି ଡାକିବା ପାଇଁ। ମନ୍ତ୍ରୀ ଏପରି କାହିଁକି କହିଲେ ଏହା ଉପସ୍ଥିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲେ। ପରେ ସେ ନିଜେ ସମସ୍ତଙ୍କ ସଂଶୟ ଦୂର କରିଥିଲେ। ତାଙ୍କ ସ୍କୁଲରେ ସିନିୟରଙ୍କୁ ଜୁନିଅର୍‌ମାନେ ନାମରେ ସମ୍ବୋଧନ ନକରି ବସ୍ ବୋଲି ଡାକିବାର ପ୍ରଥା ରହିଥିବା ସେ ଜଣାଇଥିଲେ। ଏଣୁ ଇଞ୍ଜିନିୟର ଜଣଙ୍କ ତାଙ୍କ ସ୍କୁଲର ଜୁନିୟର ହୋଇଥିବାରୁ ସେ ଏପରି କହିଥିଲେ। ଏହି କଥା ଜାଣିବା ପରେ ଉପସ୍ଥିତ ସମସ୍ତେ ବେଶ୍ ଖୁସି ହୋଇଥିଲେ।