ଲଭ୍ ଜିହାଦ: ଓଡ଼ିଶା ସମେତ ୩ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଏକ ଲଭ୍ ଜିହାଦ ମାମଲାରେ ଓଡ଼ିଶା ସମେତ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ ଏବଂ ଜମ୍ମୁ କାଶ୍ମୀର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ। ମାମଲାର ଶୁଣାଣି କରି ବିଚାରପତି ୟୁୟୁ ଲଳିତ, ଅଜୟ ରସ୍ତୋଗୀ ଓ ଅନିରୁଦ୍ଧ ବୋଷଙ୍କ ମିଳିତ ଖଣ୍ଡପୀଠ ରାଜ୍ୟମାନଙ୍କୁ ଏହି ନୋଟିସ୍ ଜାରି କରିଛନ୍ତି। ଏଥିସହ ଜୁଲାଇ ୨୩ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଆସିବାର ମୂଳ କାରଣ ହେଉଛି ଆବେଦନକାରୀ ଓଡ଼ିଶାର ବାସିନ୍ଦ। ବ୍ରହ୍ମପୁରର ଜନୈକ ଫାର୍ମାସିଷ୍ଟ ଦମ୍ପତି ନିଜ ଝିଅକୁ ଲଭ୍ ଜିହାଦ କବଳରୁ ମୁକୁଳାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ବିଫାର୍ମା ପଢୁଥିବା ସମୟରେ ଜମ୍ମୁ କାଶ୍ମୀରର ଜଣେ ଯୁବକଙ୍କ ସହ ତାଙ୍କର ପରିଚୟ ଏବଂ ପରେ ବନ୍ଧୁତା ହୋଇଥିଲା। ପଢ଼ା ସରିବା ପରେ ଉଭୟ ଚାକିରି ପାଇଁ ଉତ୍ତରପ୍ରଦେଶର ଲଖନଉ ଯାଇଥିଲେ। ସେଠାରେ କିଛିଦିନ କାମ କରିବା ପରେ ସେମାନେ ପରବର୍ତ୍ତୀ ସମୟରେ ଚଣ୍ଡୀଗଡ଼ ଚାଲିଆସିଥିଲେ ଏବଂ ସେଠାରେ ବିବାହ ମଧ୍ୟ କରିଥିଲେ। ଅନ୍ୟ ଧର୍ମରେ ଝିଅ ବିବାହ କରିଥିଲେ ହେଁ ପରିବାର ଲୋକଙ୍କର ଏଥିରେ କୌଣସି ଆପତ୍ତି ନାହିଁ। ତେବେ ସଂପୃକ୍ତ ଯୁବକ ଜଣକ ଜୋର ଦବରଦସ୍ତ ଝିଅର ଧର୍ମ ପରିବର୍ତ୍ତନ କରି ବିବାହ କରିଥିବା ବେଳେ ଏବେ ସେମାନଙ୍କର କୌଣସି ଖୋଜ ଖବର ନାହିଁ।

ଝିଅ ସହ ଯୋଗାଯୋଗ ସ୍ଥାପନ ହୋଇନପାରିବାରୁ ଚିନ୍ତିତ ପରିବାର ଲୋକେ ବହୁ ଲୋକଙ୍କୁ ପଚରାଉଚରା କରିଥିଲେ। ଇତିମଧ୍ୟରେ ସେମାନେ ସଂପୃକ୍ତ ଯୁବକଙ୍କ ଅପରାଧିକ ପୃଷ୍ଠଭୂମି ଏବଂ ଦେଶବିରୋଧୀ କାର୍ଯ୍ୟକଳାପ ସଂପର୍କରେ କିଛି ଜାଣିବାକୁ ପାଇଥିଲେ। ଆଉ ଜାଣିବାକୁ ବାକି ନଥିଲା ଯେ ଝିଅକୁ ଲଭ୍ ଜିହାଦରେ ଫସାଯାଇଛି। ଏଣୁ ଝିଅର ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ରାଜ୍ୟ ସରକାରମାନେ କୋର୍ଟଙ୍କ ନୋଟିସ୍‌ର ଜବାବ ଦେବାପରେ ଅଧିକ ତଥ୍ୟ ସାମ୍ନାକୁ ଆସିବା ସହ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ପରିବାରବର୍ଗଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ କହିଛନ୍ତି।