ସର୍ବୋଚ୍ଚ ଛୁଇଁଲା ହୀରାକୁଦ ଜଳସ୍ତର, ଖୋଲିଲା ୨ ଗେଟ

ସମ୍ବଲପୁର,ଏନ୍ଏନ୍ଏସ୍: ଚଳିତ ମୌସୁମୀ ଋତୁରେ ଶୁକ୍ରବାର ପ୍ରଥମଥର ପାଇଁ ହୀରାକୁଦ ଡ୍ୟାମ ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟରେ ପହଞ୍ଚିଛି। ଡ୍ୟାମ କଂଟ୍ରୋଲ ରୁମ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ୭ଟାରେ ଡ୍ୟାମ ଜଳସ୍ତର ୬୩୦ଫୁଟ ରହିଥିବାବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫୯ ହଜାର ୯୦୩ ଘନଫୁଟ ଜଳ ପ୍ରବେଶ କରୁଛି।

ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ପାୱାର ଚ୍ୟାନେଲ୍ରେ ୧୭ ହଜାର ୯୬୯ ଓ କେନାଲରେ ୩ହଜାର ୬୪୫ଘନଫୁଟ ଜଳ ଛଡାଯାଉଥିବାବେଳେ ଶିଳ୍ପ ସଂସ୍ଥାକୁ ପ୍ରତି ସେକେଣ୍ଡରେ ୧୭୦ ଘନଫୁଟ ଜଳ ଯୋଗାଣ ହେଉଛି। ଡ୍ୟାମ ପରିଚାଳନା ରୁଲକର୍ଭ ଅନୁଯାୟୀ ଅକ୍ଟୋବର ୧ ତାରିଖ ଡ୍ୟାମର ସର୍ବୋଚ୍ଚ ଓ ସର୍ବନିମ୍ନ ଜଳସ୍ତର ୬୩୦ ଫୁଟ ରଖାଯାଇଥାଏ।

ସେହିପରି ସେପ୍ଟେମ୍ବର ୨୧ ତାରିଖ ଜଳଭଣ୍ଡାରର ଜଳସ୍ତର ସର୍ବାଧିକ ୬୩୦ ଏବଂ ସର୍ବନିମ୍ନ ୬୨୯.୫୦ ଫୁଟ ରଖାଯାଏ। ସେଥିପାଇଁ ଜଳସ୍ତରକୁ ୬୨୯.୫୦ ଫୁଟରେ ରଖିବା ସକାଶେ ଶୁକ୍ରାବାର ରାତି ୯ଟାରୁ ଡ୍ୟାମରୁ ଦୁଇଟି ସ୍ଲୁଇସ୍ ଗେଟ ଖୋଲାଯାଇଛି। ପ୍ରକାଶ ଥାଉକି ବିଗତ ୮ ବର୍ଷରେ ଶୁକ୍ରବାର ତାରିଖରେ ଡ୍ୟାମ ଜଳସ୍ତର ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତାରେ ପହଞ୍ଚିପାରିଛି।

ଡ୍ୟାମ ଜଳଭଣ୍ଡାର ଜଳସ୍ତର ୨୦ ତାରିଖ ୨୦୧୨ ମସିହାରେ ୬୨୯.୨୯ ଫୁଟ ରହିଥିବା ବେଳେ ୨୦୧୩ରେ ୬୨୮.୮୩, ୨୦୧୪ରେ ୬୨୮.୫୪, ୨୦୧୫ରେ ୬୨୬.୭୧, ୨୦୧୬ରେ ୬୨୬.୫୨, ୨୦୧୭ରେ ୬୨୧.୪୭ ଏବଂ ୨୦୧୮ରେ ୬୨୭ ଫୁଟ ରହିଥିଲା।