‘ଖଲନାୟକ’ର ସିକ୍ୱେଲ୍ କରିବେ ସଞ୍ଜୟ

ଅଭିନେତା ସଞ୍ଜୟ ଦତ୍ତ ୧୯୯୩ରେ ମୁକ୍ତିପ୍ରାପ୍ତ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଖଲନାୟକ’ର ସିକ୍ୱେଲ୍ ନିର୍ମାଣ ପାଇଁ ଚିନ୍ତା କରୁଛନ୍ତି। ଏହାର ମୁଖ୍ୟ ଚରିତ୍ରରେ ଆକ୍ସନ୍ ଷ୍ଟାର୍ ଟାଇଗର ଶ୍ରଫ୍ ଙ୍କୁ ନେବାକୁ ମନସ୍ଥ କରିଛନ୍ତି ସଞ୍ଜୟ। ସଞ୍ଜୟ ଦତ୍ତ, ମାଧୁରୀ ଅଭିନୀତ ‘ଖଲନାୟକ’ର ନିର୍ଦ୍ଦେଶନା ଦେଇଥିଲେ ପ୍ରସିଦ୍ଧ ନିର୍ଦ୍ଦେଶକ ସୁଭାଷ ଘାଇ। ଏହି କାରଣରୁ ଫିଲ୍ମର ସିକ୍ୱେଲ ପାଇଁ ସଞ୍ଜୟ ସୁଭାଷଙ୍କଠାରୁ ଫିଲ୍ମର ସ୍ୱତ୍ତ୍ୱାଧିକାର ନେବା ଜରୁରୀ। ଏ ବାବଦରେ ସୁଭାଷ ଘାଇ କହିଛନ୍ତି, ସଞ୍ଜୟ ଓ ଅନ୍ୟ କେତେଜଣ ପ୍ରଯୋଜକ ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ହେଁ ସେ ଏଯାଏଁ ସ୍ୱତ୍ତ୍ୱାଧିକାର କାହାକୁ ବିକ୍ରି କରିନାହାନ୍ତି।

ଅନ୍ୟପକ୍ଷରେ ସଞ୍ଜୟଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି, ସେମାନେ ‘ଖଲନାୟକ’ର ସିକ୍ୱେଲ୍ ପାଇଁ ସୁଭାଷଙ୍କ ସହିତ ସ୍ୱତ୍ତ୍ୱାଧିକାର ବାବଦରେ କଥାବାର୍ତ୍ତା କରିଛନ୍ତି। ଏଥିରେ ସଫଳ ହେଲେ ନାୟକ, ନାୟିକା ଓ ନିର୍ଦ୍ଦେଶକ କିଏ ହେବେ ସେ ବିଷୟରେ ଚିନ୍ତା କରାଯିବ। ଆପଣ ଜାଣନ୍ତି, ନିକଟ ଅତୀତରେ ସଞ୍ଜୟ ପ୍ରଯୋଜନା କ୍ଷେତ୍ରରେ ପାଦ ରଖିଛନ୍ତି। ‘ସଞ୍ଜୟ ଏସ୍ ଦତ୍ତ ପ୍ରଡକ୍ସନ୍ସ’ ନାମରେ ନିଜର ଏକ ପ୍ରଯୋଜନା ସଂସ୍ଥା ଆରମ୍ଭ କରିଛନ୍ତି। ହୋମ୍ ପ୍ରଡକ୍ସନରେ ସଞ୍ଜୟ ନିର୍ମାଣ କରିଛନ୍ତି ‘ପ୍ରସ୍ଥାନମ୍’ ଫିଲ୍ମ ଓ ନିକଟରେ ତାହା ରିଲିଜ୍ ହୋଇଛି। ଫିଲ୍ମର କଥାବାସ୍ତୁ ପୂରାପୂରି ପଲିଟିକାଲ୍ ଡ୍ରାମା ଉପରେ ଆଧାରିତ।