ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

  • ପୁରୀ, ଜୁଲାଇ ୧୨ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ। ଗତବର୍ଷ ଭଳି ବିନା ଭକ୍ତରେ ରଥଯାତ୍ରା ହେବ। ଏହି ଘୋଷଣା ପରେ ରବିବାର ୱେବିନାରରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରାର ସମସ୍ତ ନୀତି ନିର୍ଘଣ୍ଟ ଉପରେ ବୈଠକରେ ଆଲେଚନା ହୋଇଥିଲା। ରଥଯାତ୍ରା ପରିଚାଳନା ପାଇଁ ପ୍ରଶାସନ ମାଇକ୍ରୋ ମ୍ୟାନେଜମେଣ୍ଟ ରୂପରେଖର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଭୋର ୪.୩୦ରେ ମଙ୍ଗଳ ଆଳତିରୁ ନୀତିକାନ୍ତି ଆରମ୍ଭ ହେବ। ପରେ ମଇଲମ, ତଡ଼ପ ଲାଗି, ରୋଷ ଭୋଗ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଳଭ ଭୋଗ ଓ ସକାଳ ଧୂପ ୭.୩୦ରେ ଶେଷ କରାଯିବ। ସକାଳ ୮ଟାରେ ରଥ ପ୍ରତିଷ୍ଠା ହେବ। ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ପହଣ୍ଡି ନୀତି ୮.୩୦ରେ ଆରମ୍ଭ ହୋଇ ୧୧ଟାରେ ସରିବ। ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ରଥାରୂଢ଼ ହେବେ। ପରେ ବିଗ୍ରହଙ୍କୁ ଚିତାଲାଗି କରାଯାଇ ୧୨.୩୦ ସୁଦ୍ଧା ବେଶ କରାଯିବ। ୧୨.୪୫ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଛେରାପହଁରା କରାଯିବ। ୩ ରଥର ଚାରମାଳ ଫିଟାଯାଇ ଘୋଡ଼ା ଓ ସାରଥୀଙ୍କୁ ଅଧିଷ୍ଠିତ କରାଯିବା ପରେ ଅପରାହ୍ନ ୩ଟା ସୁଦ୍ଧା ରଥ ଟାଣିବାକୁ ଶ୍ରୀମନ୍ଦିର ଛତିଶା ନିଯୋଗ ପକ୍ଷରୁ ସହମତି ଦିଆଯାଇଛି।