ଅନାଥ ଶିଶୁଙ୍କ ପାଇଁ ରାଜ୍ୟ ସରକାରଙ୍କ ‘ଆଶୀର୍ବାଦ’ ଯୋଜନା

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ‘ଆଶୀର୍ବାଦ’ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ଆଜି ଏହି ଯୋଜନାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି।

‘ଆଶୀର୍ବାଦ’ ଯୋଜନାକୁ ୨ ଭାଗରେ ବିଭକ୍ତ କରାଯାଇଛି। ଯଦି କେହି ଉଭୟ ବାପା ଓ ମା’ଙ୍କୁ ହରାଇଥିବେ ତେବେ ଉକ୍ତ ଶିଶୁକୁ ମାସକୁ ୨୫ ଶହ ଟଙ୍କା ମିଳିବ। ସେହିପରି ପରିବାରର ରୋଜଗାରିଆ ବାପା କିମ୍ବା ମା’ଙ୍କୁ ହରାଇଥିଲେ ମାସିକ ୧୫ ଶହ ଟଙ୍କା ଯାଏ ଆର୍ଥିକ ସହାୟତା ଦିଆଯିବ। ପିଲାଟି ୧୮ ବର୍ଷ ବୟସର ହେବା ପର୍ଯ୍ୟନ୍ତ ଏହି ସହାୟତା ରାଶି ପ୍ରଦାନ କରାଯିବ। ଶିଶୁର ରକ୍ଷଣାବେକ୍ଷଣ କରୁଥିବା ବ୍ୟକ୍ତି କିମ୍ବା ଅଭିଭାବକଙ୍କୁ ଏହି ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ। ଏପ୍ରିଲ ୨୦୨୦ରୁ ପ୍ରଭାବିତ ହୋଇଥିବା ପିଲାଙ୍କ କ୍ଷେତ୍ରରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଏଥିସହିତ ଏହି ଯୋଜନାରେ ସାମିଲ ହେବାକୁଥିବା ପିଲାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ଚିକିତ୍ସା ମିଳିବ। ପିଲାର ମାଆ ଯଦି ମଧୁବାବୁ ପେନସନ ଯୋଗ୍ୟ ହୋଇଥିବେ ତେବେ ତାଙ୍କ ପାଇଁ ବିଧବା ଭତ୍ତା ମଞ୍ଜୁର କରାଯିବ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲ୍ଡଲାଇନ, ପଞ୍ଚାୟତ ଏବଂ ବ୍ଲକ ସ୍ତରୀୟ କମିଟି ଦ୍ୱାରା ଶିଶୁଙ୍କ ଚୟନ କରାଯିବ।

କରୋନାରେ ରାଜ୍ୟର ବହୁ ଶିଶୁ ନିଜର ବାପା ଓ ମା’ଙ୍କୁ ହରାଇଛନ୍ତି।