କରୋନା ସଚେତନ ରଥ ଏବଂ କରୋନା ମ୍ୟୁଜିକ୍ ଭିଡିଓ ଉଦଘାଟିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଏବଂ ସୂଚନା ଏବଂ ଲୋକ ସଂପର୍କ ବିଭାଗ ତରଫରୁ କରୋନା ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ କରୋନା ସଚେତନ ରଥର ଉଦଘାଟନ କରାଯାଇଛି। ଏହି ରଥ ରାଜ୍ୟର ୧୦ଟି ଜିଲ୍ଲା ଏବଂ ୨ଟି ସହରାଞ୍ଚଳରେ ବୁଲି ଲୋକଙ୍କୁ ସଚେତନ କରାଇବ। ଏହି କାର୍ଯ୍ୟକ୍ରମକୁ ୟୁନିସେଫ୍ ବୈଷୟିକ ଏବଂ ଆର୍ଥିକ ସହାୟତା ପ୍ରଦାନ କରୁଛି। ୟୁନିସେଫ ପୂର୍ବରୁ ମଧ୍ୟ ଏହି କାର୍ଯ୍ୟକ୍ରମକୁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲା ପାଇଁ ଆର୍ଥିକ ଏବଂ ବୈଷୟିକ ସହାୟତା ଯୋଗାଇ ଦେଇଥିଲା।

ଏହି ଉପଲକ୍ଷେ ଆଜି ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସୂଚନା ଏବଂ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ରଞ୍ଜନ କୁମାର ଦାସ, ୟୁନିସେଫ୍ ତରଫରୁ ଯୋଗାଯୋଗ ବିଶେଷଜ୍ଞ ଲୋପାମୁଦ୍ରା ତ୍ରିପାଠୀ ଯୋଗଦେଇଥିଲେ। ନେହେରୁ ଯୁବ କେନ୍ଦ୍ରର ଅଫିସର ରୀତା ଭଗତ ଉପସ୍ଥିତ ଥିଲେ। ଏହି ରଥ କଳାହାଣ୍ଡି, ନୂଆପଡା, ରାୟଗଡା, ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ, ସୁନ୍ଦରଗଡ, ଗଜପତି, ଖୋର୍ଦ୍ଧା, କଟକ ଏବଂ ଭୁବନେଶ୍ୱରରେ ବୁଲି ଲୋକମାନଙ୍କୁ ସଚେତନ କରାଇବ।

ଏହି ଅବସରରେ ଦୁଇଟି ନୂଆ କୋଭିଡ୍ ସଚେତନତା ସଂଗୀତ ନାଗର ନାଗରୀ, ଏବଂ ହାତ ଅଟେ ଅମୂଲ୍ୟ ରତ୍ନ ସହ ତିନିଟି ଅଡିଓ ଭିଜୁଆଲର ଲୋକାର୍ପଣ କରାଯାଇଥିଲା। ନାଗର ନାଗରୀର ଗୀତ ଅବନୀ କୁମାର ମିଶ୍ର ଲେଖିଥିବା ବେଳେ ସତ୍ୟଜିତ୍ ଏବଂ ସ୍ମୃତିମୟୀ କଣ୍ଠଦାନ କରିଥିଲେ। ସେହିପରି ହାତ ଅଟେ ଅମୂଲ୍ୟ ରତ୍ନକୁ ବାସୁଦେବ ମାଳବିଶୋଇ ଗୀତ, ସଂଗୀତ ଏବଂ ସ୍ୱର ସଂଯୋଜନାର ଦାୟିତ୍ୱ ହାତକୁ ନେଇଥିଲେ।

ଏହାବ୍ୟତୀତ୍ ବିଭିନ୍ନ ସେଲେବ୍ରିଟି ଯଥା ଅର୍ଚ୍ଚିତା, ସବ୍ୟସାଚୀ, କୁନା ତ୍ରିପାଠୀ, ଅରୁଣା ମହାନ୍ତି, ସୁଦର୍ଶନ ପଟ୍ଟନାୟକ ଆଦିଙ୍କ କରୋନା ସଚେତନତା ବାର୍ତ୍ତା ରହିଛି। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ସଂଯୋଜନା କରିଥିବାବେଳେ ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର ପରିଚାଳନା କରିଥିଲେ।