ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ପ୍ରାଚୀନ ଜନଜାତିମାନଙ୍କର ବସତି ଅଞ୍ଚଳରେ କୋଭିଡ ମହାମାରୀ ସଂକ୍ରମଣ ଆରମ୍ଭ ହୋଇଛି। ତେଣୁ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପିଭିଟିଜି ମାନଙ୍କ ପାଇଁ ସ୍ପେସାଲ ପ୍ୟାକେଜ୍ ଘୋଷଣା କରାଯାଇଛି।
ପିଭିଟିଜି ମାନଙ୍କ ନିମନ୍ତେ ଜରୁରୀକାଳୀନ ପ୍ୟାକେଜ ଗୁଡ଼ିକ ହେଉଛି:-
* ସମସ୍ତ ପ୍ରାଚୀନ ଜନଜାତି ଗୋଷ୍ଠୀର ବ୍ୟକ୍ତିଙ୍କୁ ମାଗଣାରେ ମାସ୍କ ଓ ସାନିଟାଇଜର ବଣ୍ଟନ।
* କୋଭିଡ ଆକ୍ରାନ୍ତ ସମସ୍ତ ପରିବାରକୁ ୨,୫୦୦ ଟଙ୍କା ମୂଲ୍ୟର ଶୁଖିଲା ରାସନ କିଟ୍ ଯୋଗାଣ।
* କୋଭିଡ୍ ଆକ୍ରାନ୍ତ ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କୁ ଆନୁଷ୍ଠାନିକ ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ପ୍ରତିଦିନ ୧୦୦ ଟଙ୍କା ସହିତ ୧୪୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ।
* ପ୍ରାଚୀନ ଜନଜାତି ଗୋଷ୍ଠୀ ପରିବାରର ଘରକୁ ଘର ଯାଇ ସର୍ଭେ ଓ ସ୍କ୍ରିନିଂ କରାଯିବ।
* ପ୍ରାଚୀନ ଜନଜାତି ଗ୍ରାମାଞ୍ଚଳରେ କାର୍ଯ୍ୟରତ କମ୍ୟୁନିଟି ରିସୋର୍ସ ପରସନଙ୍କୁ ୪ ମାସ ପାଇଁ ମାସିକ ୧ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ।
* ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି ଅଧୀନରେ କାର୍ଯ୍ୟରତ ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ କିଟ୍ ସହ ଜୀବନବୀମାର ପରିସରଭୁକ୍ତ କରାଯାଇଛି।
ବିଭାଗ ପକ୍ଷରୁ ନିଆଯାଇଥିବା ଜରୁରୀକାଳୀନ ପଦକ୍ଷେପ ସହିତ ଗ୍ରାମ ସ୍ତରରେ ସଙ୍ଗରୋଧ କେନ୍ଦ୍ର ମାଇକ୍ରୋ ଏଜେନ୍ସି ଓ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା ସହିତ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ନିମନ୍ତେ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ପ୍ରାଚୀନ ଜନଜାତିମାନେ ବାସ କରୁଥିବା ସମସ୍ତ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରାଚୀନ ଜନଜାତି ଗୋଷ୍ଠୀର ବ୍ୟକ୍ତିମାନଙ୍କୁ କୋଭିଡ ସଚେତନତା ନିମନ୍ତେ ସ୍ଥାନୀୟ ଭାଷାରେ ମାଇକକରେ ପ୍ରଚାର ସହିତ ପୋଷ୍ଟର ଓ ବ୍ୟାନର ଯୋଗେ ସଚେତନ କରାଯାଉଛି।
ମୋବାଇଲ ଫୋନରେ ମଧ୍ୟ ସଚେତନତା ବାର୍ତ୍ତା ପ୍ରେରଣ କରାଯାଉଛି। ଆଶା, ଅଙ୍ଗନବାଡ଼ି ଓ ଏଏନ୍ଏମ୍ କର୍ମୀମାନେ ସି.ଆର.ପିଙ୍କ ସହିତ ଥର୍ମାଲ ସ୍କ୍ରିନିଂ ଓ ଅକ୍ସିମିଟର ଯୋଗେ ପ୍ରାଚୀନ ଜନଜାତିମାନଙ୍କ କୋଭିଡ ପରୀକ୍ଷା କରୁଛନ୍ତି। ଏକାଥରକେ ଅଧିକ ବ୍ୟକ୍ତିଙ୍କୁ ପରୀକ୍ଷା କରିବା ନିମନ୍ତେ ବ୍ଲକ ସ୍ତରରେ ରାପିଡ୍ ରେସପନ୍ସ ଟିମ୍ କାର୍ଯ୍ୟ କରୁଛନ୍ତି ଓ ଆବଶ୍ୟକତା ଅନୁସାରେ କୋଭିଡ୍ ଆକ୍ରାନ୍ତଙ୍କୁ ଆଇସୋଲେସନ୍ ସେଣ୍ଟର ଏବଂ କୋଭିଡ କେୟାର ହସ୍ପିଟାଲ୍ ପଠାଯାଉଛି।
ସୂଚନାଯୋଗ୍ୟ ଯେ, ଓଡ଼ିଶାର ୧୪ଟି ଜିଲ୍ଲାରେ ବସବାସ କରୁଥିବା ୧୩ଟି ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କ ସୁରକ୍ଷା ନିମନ୍ତେ ବିଭାଗ ସଦାସର୍ବଦା ଜାଗ୍ରତ ରହିଛି। ଓଡ଼ିଶାର ୫୪୧ଟି ଗ୍ରାମରେ ୨୭,୩୦୮ଟି ପିଭିଟିଜି ପରିବାର ରହିଛି।