ଏଆଇଏସ୍ଏଫ୍ ପକ୍ଷରୁ ରାଜ୍ୟବ୍ୟାପୀ ଡିଜିଟାଲ୍ ଆନ୍ଦୋଳନ

( ଶିକ୍ଷା ବଞ୍ଚାଅ-ଓଡିଶା ବଞ୍ଚାଅ ଆହ୍ୱାନ)

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ମୁକାବିଲାର ଭୁଲ ପରିଚାଳନା ପାଇଁ ସମଗ୍ର ଦେଶରେ ଶିକ୍ଷା କ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଗତ ୨୦୨୦ ମାର୍ଚ୍ଚ ୧୦ରୁ ସ୍କୁଲ କଲେଜ ବନ୍ଦ କରିଦିଆଯାଇଛି। ଡିଜିଟାଲ ଇଣ୍ଡିଆ କଥା କହି ବିଶ୍ଵ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ଅନଲାଇନ ଶିକ୍ଷା କଥା କୁହାଯାଉଥିଲେ ବି ଗ୍ରାମାଞ୍ଚଳର ୮୦ ଭାଗ ଓ ସହରାଞ୍ଚଳର ୩୦ ଭାଗ ଛାତ୍ରଛାତ୍ରୀ ଲାପଟପ ଅଥବା ସ୍ମାର୍ଟ ଫୋନ୍, ଇଣ୍ଟରନେଟ୍ ଓ ବିଦ୍ୟୁତ୍ ସଂଯୋଗ ନ ପାଇ ଏହି ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି।

ୟୁଜିସି ପକ୍ଷରୁ ନିକଟରେ ବ୍ଲେଣ୍ଡେଡ୍ ଟିଚିଙ୍ଗ୍ ନାମରେ ଏକ ନିର୍ଦ୍ଦେଶ ଦିଆଯାଇଛି, ଯାହାଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୪୦% ଶିକ୍ଷାଦାନ ଆଉ ଶିକ୍ଷକ କରିବେ ନାହିଁ, ଏହା ଅନଲାଇନରେ ଆପ୍ ମାଧ୍ୟମରେ କରାଯିବ। ବିଶ୍ୱଗୁରୁ ପାଇଁ ସରକାର ସ୍ୱପ୍ନ ଦେଖାଉ ଥିବା ବେଳେ ଉଚ୍ଚଶିକ୍ଷା ପାଇଁ ଇନଟରନେଟ୍ ପାଠାଗାର ବା ଇ-ଲାଇବ୍ରେରି କରାଯାଇପାରି ନାହିଁ। କେନ୍ଦ୍ର ସରକାରଙ୍କ ଭୁଲ ମହାମାରୀ ପରିଚାଳନା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁ ହୋଇଛି। ଦେଶର ଅର୍ଥନୀତି ଭୁଶୁଡି ପଡିବା ପରେ ଅର୍ଥନୀତି ସଜାଡିବା ପାଇଁ ଶିଳ୍ପ ଓ କଳକାରଖାନା ଖୋଲାଗଲା, ମାତ୍ର ଶିକ୍ଷାନୁଷ୍ଠାନ ବନ୍ଦ।

ଶିକ୍ଷାଦାନର ବିକଳ୍ପ ରାସ୍ତା ବାହାର କରିବା ପାଇଁ ରାଜ୍ୟ ହେଉ ବା କେନ୍ଦ୍ର, କାହାରି ଆନ୍ତରିକତା ନାହିଁ। ଶିକ୍ଷା ବେପାରୀଙ୍କ ଲାଭ ପାଇଁ ଓ ଅବହେଳିତ ବର୍ଗଙ୍କୁ ଶିକ୍ଷାରୁ ଵଞ୍ଚିତ କରିବା ପାଇଁ କରୋନା ମହାମାରୀ ଭିତରେ ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ କଲେ ଏବେ ବ୍ଲେଣ୍ଡେଡ୍ ଟିଚିଙ୍ଗ କଥା କହି ଶିକ୍ଷକ ହ୍ରାସର ଷଡ଼ଯନ୍ତ୍ର କରାଯାଉଛି। କରୋନାରେ କୋଟି କୋଟି ଛାତ୍ରାଭିଭାବକ ଜୀବିକା ହରାଇ ଜୀବନ ଜିଇଁବା ପାଇଁ ସଂଘର୍ଷ କରୁଥିବା ବେଳେ ପିଲାଙ୍କ ଫି’ ବୋଝ ବେଡି ଉପରେ କୋରଡା ମାଡ ଭଳି।

ଅନ୍ୟପଟେ ଟିକାର ଅଭାବ, ଅକ୍ସିଜେନ୍ ସିଲିଣ୍ଡର ଓ ମେଡିସିନର କଳାବଜାରୀ ଦିନକୁ ଦିନ ବୃଦ୍ଧି ପାଉଛି। ଏହା ବିରୋଧରେ ଦେଶର ପ୍ରଥମ ସର୍ବ ଭାରତୀୟ ଛାତ୍ର ସଂଗଠନ “ଅଖିଳ ଭାରତ ଛାତ୍ର ସଂଘ “ଏଆଇଏସଏଫ’ ପକ୍ଷରୁ କରୋନା କାଳରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲ୍ୟାପଟପ୍, ଡାଟା ଓ ଅନ୍ୟ ପାଠ୍ୟ ଉପକରଣ ଖର୍ଚ୍ଚ ପାଇଁ ଆକାଉଣ୍ଟକୁ କ୍ୟାସ୍ ଟ୍ରାନ୍ସଫର, ଆଗାମୀ ଶିକ୍ଷା ବର୍ଷର ସମସ୍ତ ଫି’ ଛାଡ୍, ୟୁଜିସିର ବ୍ଲେଣ୍ଡେଡ୍ ଟିଚିଙ୍ଗ୍ ନିର୍ଦ୍ଦେଶ ପ୍ରତ୍ୟାହାର, ସମସ୍ତଙ୍କୁ ସାର୍ବଜନୀନ ଟିକାକରଣ, କେରଳ ଭଳି ଓଡିଶା ସରକାର ଶିକ୍ଷା ପାଇଁ ସ୍ୱତନ୍ତ୍ର ଟିଭି ଚ୍ୟାନେଲ୍ ତିଆରି ଓ ଡିଜିଟାଲ୍ ଲାଇବ୍ରେରୀ ସୁନିଶ୍ଚିତ କରିବା ଆଦି ଦାବିରେ ଓଡିଶା ରାଜ୍ୟବ୍ୟାପୀ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଜି ଡିଜିଟାଲ ଆନ୍ଦୋଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସମେତ ରାଜ୍ୟର ୨୨ଟି ଜିଲ୍ଲାର ୩୦୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଡିଜିଟାଲ୍ ଆନ୍ଦୋଳନରେ ସାମିଲ ହୋଇଥିଲେ।