ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆସନ୍ତା ଜୁନ୍ ୧ ତାରିଖ ସକାଳ ୭ଟାରୁ ଲକଡାଉନ ସରିବାକୁ ଥିବା ବେଳେ ଆଜି ଏହି ଲକଡାଉନ ଅବଧିକୁ ପୁଣି ବୃଦ୍ଧି କରାଯାଇଛି। ରାଜ୍ୟରେ ପୁଣି କରୋନା ଲକଡାଉନ ଜୁନ୍ ୧୭କୁ ବୃଦ୍ଧି ପାଇଛି। ସୂଚନା ଅନୁସାରେ ରାଜ୍ୟରେ ମେ’ ମାସରେ କରୋନା ସଂକ୍ରମଣ ଅନିୟନ୍ତ୍ରୀତ ହୋଇଥିବା ବେଳେ ଲକଡାଉନ ଯୋଗୁଁ ଏଥିରେ କିଛିଟା କମ୍ ହୋଇଛି। ଏନେଇ ଆଗକୁ ସ୍ଥିତିକୁ ସୁଧାରିବା ପାଇଁ ପୁଣି ୧୬ ଦିନ ଲକଡାଉନ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟରେ ସୂଚନା ଦେଇଛନ୍ତି।
ଏହି ଲକଡାଉନ ଜୁନ୍ ୧୭ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ଜାରି ରହିବ। ସେହିପରି ଏହି ଲକଡାଉନ ସମୟରେ ପୂର୍ବପରି ସପ୍ତାହନ୍ତ ସଟଡାଉନ ଜାରି ରହିବ। ଏଥିସହିତ ଚଳିତ ଲକଡାଉନ ସମୟରେ ଯେଉଁ କଟକଣା ଥିଲା ତାହା ଜରି ରହିବ।
ସେହିପରି ୩ଟି ଜିଲ୍ଲା ଯଥା- ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ରେ କୋଭିଡ ସଂକ୍ରମଣ ହ୍ରାସ ପାଇବା ସହ ସଂକମ୍ରଣ ହାର ୧୦ ପ୍ରତିଶତ ତଳେ ରହିଛି। ଏନେଇ ସମ୍ପୃକ୍ତ ୩ଟି ଜିଲ୍ଲାରେ ଲକଡାଉନ କିଛି ମାତ୍ରାରେ କୋହଳ କରାଯାଇଛି। ଅନ୍ୟ ସମସ୍ତ ଜିଲ୍ଲାରେ ସୋମବାରରୁ ଶୁକ୍ରବାର ମଧ୍ୟରେ ଲୋକମାନେ ସକାଳ ୭ଟାରୁ ୧୧ଟା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବଜାରକୁ ଯାଇପାରିବେ। କିନ୍ତୁ ଏହି ୩ଟି ଜିଲ୍ଲାରେ ଏହି କଟକଣାକୁ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଏହି ୩ଟି ଜିଲ୍ଲାର ସମସ୍ତ ଦୋକାନ ଏହି ୬ ଘଣ୍ଟା ସମୟ ମଧ୍ୟରେ ଖୋଲିବାକୁ ଅନୁମତି ମିଳିଛି। ସେଲୁନ, ପାର୍ଲର ଓ ମଲ ଗୁଡ଼ିକୁ ଏହି ୩ଟି ଜିଲ୍ଲାରେ ଖୋଲିବାକୁ ଅନୁମତି ନାହିଁ। ଯଦି ପରେ ସଂକ୍ରମଣ ହାର ବଢ଼ିବା ଲକ୍ଷ ହୁଏ ତେବେ ଏହି କୋହଳ ଆଦେଶକୁ ପ୍ରତ୍ୟାହାର କରିନିଆଯିବ। ଏଥିସହିତ ଅନ୍ୟ ଜିଲ୍ଲା ଗୁଡ଼ିକରେ ସ୍ଥିତିରେ ସୁଧାର ନଜର ଆସିଲେ ପର୍ଯ୍ୟାୟ କ୍ରମେ ଉକ୍ତ ଜିଲ୍ଲାରେ ନିୟମର କୋହଳ କରାଯିବ। ସେହିପରି ସବୁ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଜାରି ରହିବ।