ଭୁବନେଶ୍ୱର,ଏନ୍ଏନ୍ଏସ୍: ଅତି ଭୟଙ୍କର ବାତ୍ୟା ୟାସର ଫିଟିଲା ଆଖି। କରାଳ ରୂପ ଧାରଣ କରି ଉପକୂଳ ଆଡକୁ ମାଡି ଆସୁଛି ଅତି ଭୀଷଣ ସାମୁଦ୍ରିକ ଝଡ ୟାସ୍। ୟାସ୍ ପୂର୍ବରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବାବେଳେ ଏବେ ପଶ୍ଚିମ କେନ୍ଦ୍ରୀୟ ଉତ୍ତର ବଙ୍ଗୋପସାଗରରେ ରହିଛି।
ଅତି ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା ୟାସ୍। ପାରାଦ୍ୱୀପ ଠାରୁ ୧୬୦ କିମି ଓ ବାଲେଶ୍ୱର ଠାରୁ ୨୫୦ କିମି ଦୂରରେ ଦୂରରେ ବାତ୍ୟା ୟାସ୍ ରହିଛି। ସେହିପରି ପାରାଦ୍ୱୀପ ଡ଼ପ୍ଲାର ରାଡ଼ରରେ ବାତ୍ୟା ଆଖିର ଚିତ୍ର ରେକର୍ଡ ହୋଇଛି। ଏହାର ବ୍ୟାସାର୍ଦ୍ଧ ରହିଛି ୩୫ କିଲୋମିଟର। ଉତ୍ତର ଧାମରା ଦକ୍ଷିଣ ବାଲେଶ୍ୱର ମଧ୍ୟରେ ମେ’ ୨୬ ଭୋର ସମୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ୟାସ୍। ଏହି ସମୟରେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ। ବର୍ତ୍ତମାନ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିଛି। ଚାନ୍ଦବାଲି, ପାରାଦ୍ୱୀପ, ଭୁବନେଶ୍ୱରରେ ବର୍ଷା ଲାଗି ରହିଛି।
ଭୁବନେଶ୍ୱରରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ରହୁଛି। ମଙ୍ଗଳବାର ମଧ୍ୟରାତ୍ରିରୁ ବୁଧବାର ଦ୍ୱିପ୍ରହର ପର୍ଯ୍ୟନ୍ତ ପବନର ପ୍ରଭାବ ଦେଖିବାକୁ ମିଳିବ। ଧୀରେ ଧୀରେ ପବନର ବେଗ ବଢିବ। ଧାମରା ବନ୍ଦରକୁ ୧୦ ନମ୍ବର ବିପଦ ସଂକେତ ଦିଆଯାଇଛି।