ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହିତ ବାତ୍ୟା ୟାସର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିର ଆଜି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚ୍ଚୁଆଲ ମୋଡରେ ଏହି ସମୀକ୍ଷା ହୋଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପ୍ରତ୍ୟେକ ଜୀବନ ମୂଲ୍ୟବାନ, ତେଣୁ ସମସ୍ତ ଜୀବନ ବଞ୍ଚାଇବା ପାଇଁ ସବୁ ପଦକ୍ଷେପ ନିଆଯାଇଛି। ଏଥିସହିତ ମୁଖ୍ୟମନ୍ତ୍ରୀ ସ୍ଥାନାନ୍ତରଣ ପ୍ରକ୍ରିୟାରେ ଲୋକମାନଙ୍କ ସହଯୋଗ ଲୋଡିଛନ୍ତି।
ଏହି ଆଲୋଚନା ମଧ୍ୟରେ ମୁଖ୍ୟ ଶାସନ ସଚିବ ଏସସି ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ବାତ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରଣ ପାଇଁ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିପରି ଏସଆରସି ପିକେ ପଟ୍ଟନାୟକ ବାତ୍ୟାର ଗତିପଥ ଉପସ୍ଥାପନ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି କି ସଦ୍ୟ ତଥ୍ୟ ଅନୁସାରେ ବାତ୍ୟା ବାହାନଗା ଓ ବାସୁଦେବପୁର ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଏଥିସହିତ ପାନୀୟ ଜଳ, କୋଭିଡ ହସ୍ପିଟାଲର ସ୍ୱତନ୍ତ୍ର ବ୍ୟବସ୍ଥା, ଅମ୍ଳଜାନ ବଫର, ବିଦ୍ୟୁତ୍ ଯୋଗାଣ, କମ୍ୟୁନିକେସନ ସମ୍ପର୍କରେ କରାଯାଇଥିବା ବ୍ୟବସ୍ଥା ବିଷୟରେ ମଧ୍ୟ ସେ ସୂଚନା ଦେଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଅଢ଼େଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ଏବେ ବି ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି। ଆଜି ରାତି ସୁଦ୍ଧା ବାତ୍ୟା ପ୍ରଭାବିତ ଅଞ୍ଚଳରୁ ଅନ୍ୟମାନଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି। ଏଥିସହିତ ବାତ୍ୟାର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅଶ୍ୱସ୍ତି କରିଛନ୍ତି।