କରୋନା ସଚେତନତା ପାଇଁ ଲୋକାର୍ପିତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ସ୍ଥାନୀୟ ସଂସ୍କୃତି ଭବନଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ୟୁନିସେଫ୍‌, ଓଡ଼ିଶା ଶାଖାର ମିଳିତ ଉଦ୍ୟମରେ ୩ଟି ସଚେତନତା ଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ଲୋକାର୍ପିତ ହୋଇଯାଇଛି। କୋଭିଡ୍‌-୧୯ ଯୋଗୁଁ ଜାରି କରାଯାଇଥିବା ଲକଡାଉନ୍‌, ସଟଡାଉନ୍‌ ମାନିବା, ମାସ୍କ ପିନ୍ଧିବା, ହାତ ସାବୁନରେ ଧୋଇବା, ଘରେ ରହିବା, ସୁରକ୍ଷିତ ରହିବା ଆଦି ବାର୍ତ୍ତା ଥାଇ ପ୍ରସ୍ତୁତ କରାଯାଇଥିବା ନାରଦଙ୍କ କରୋନା ଉବାଚ, ଯମଙ୍କ କରୋନା ଉବାଚ, ଯମଙ୍କ କରୋନା ଉବାଚ(୨) ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି।

ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପ୍ରମୋଦ କୁମାର ମଲ୍ଲିକ, ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀ ବାସୁଦେବ ମାଳବିଶୋଇ, ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ କୁମାର ରଥ, ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୀବ ମହାନ୍ତି, ୟୁନିସେଫର ବରିଷ୍ଠ ପରାମର୍ଶଦାତା ରୁଦ୍ର ପ୍ରସାଦ ରଥ ପ୍ରମୁଖ ଯୋଗଦେଇଥିଲେ।

ଏହି ଚଳଚ୍ଚିତ୍ରରେ ହରିହର ସ୍ୱାଇଁ, ଅଭିଜିତ, ଅବନୀ, ରାମଚନ୍ଦ୍ର, ଅଙ୍କିତ, ଜିନା, ରୁଦ୍ର, ପୃଥିବୀ, ବାବୁ ପ୍ରଧାନ ପ୍ରମୁଖ ଅଭିନୟ କରିଥିବାବେଳେ ଚଳଚ୍ଚିତ୍ର ବ୍ୟବସ୍ଥାପନର ଦାୟିତ୍ୱ ତୁଲାଇଛନ୍ତି ବାସୁଦେବ ମାଳବିଶୋଇ। ଏଠାରେ ସୂଚନାଯୋଗ୍ୟ ଯେ କୋଭିଡ-୧୯କୁ ନେଇ ଅନୁରୂପ ସଚେତନତା ଚଳଚ୍ଚିତ୍ର ଆଗରୁ ମଧ୍ୟ ପ୍ରସ୍ତୁତ କରାଯାଇଛି।