ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର କୋଭିଡ ୧୯ ସଂକ୍ରମିତ ରୋଗୀ ବହୁମାତ୍ରାରେ ବ୍ଲାକ୍ ଫଙ୍ଗସ୍ ରୋଗରେ ପୀଡ଼ିତ ହେଉଥିବା ଦେଖାଯାଇଛି। ଏହାକୁ ଲକ୍ଷ କରି ଆଜି ରାଜ୍ୟ ସରକାର ବ୍ଲାକ୍ ଫଙ୍ଗସ୍ ତଥା ମ୍ୟୁକୋରମାଇଓସିସ ରୋଗକୁ ମହାମାରୀ ଭାବେ ଘୋଷଣା କରିଛନ୍ତି। ମହାମାରୀ ରୋଗ ଅଧିନିୟମ-୧୮୯୭ ଅନୁସାରେ ଏହି ଘୋଷଣା ହୋଇଛି।
କୋଭିଡ ଚିକିତ୍ସାରେ ବ୍ୟାପକ ପରିମାଣର ଷ୍ଟେରଏଡ୍ ଓ ଇମ୍ୟୁନିଟି ବୁଷ୍ଟର ଔଷଧର ବ୍ୟବହାର ଯୋଗୁଁ ଏହି ରୋଗ ହେଉଥିବା କୁହାଯାଉଛି।
ତେବେ ଏହି ରୋଗ ପାଇଁ ଏକ ରାଜ୍ୟ ସ୍ତରୀୟ ଟାସ୍କ ଫୋର୍ସ କମିଟି ଗଠନ କରାଯାଇଛି। ପ୍ରାଥମିକ ସ୍ତରରେ ଏହି ରୋଗୀଙ୍କ ପାଇଁ ଗାଇଡଲାଇନ ଜାରି କରିବା ସହ ଏହି ରୋଗରେ ପୀଡ଼ିତ ହୋଇ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ୟକ୍ତିମାନଙ୍କ ମନିଟରିଂ କରିବ ଏହି ଟିମ୍।
ଏହି ରୋଗର ଚିହ୍ନଟ, ଚିକିତ୍ସା ଓ ଚିକିତ୍ସା କାର୍ଯ୍ୟର ଅନୁସରଣ କରିବା ପାଇଁ ଏକ ଜନ ସଚେତନତା କରିବାକୁ କୁହାଯାଇଛି। ଯାହା ଦ୍ୱାରା ଏହିପରି ସମସ୍ତ ସନ୍ଦିଗ୍ଧ ତଥା ନିଶ୍ଚିତ ମାମଲାଗୁଡ଼ିକର ରିପୋର୍ଟ ସମସ୍ତ ଜିଲ୍ଲା ସ୍ୱାସ୍ଥ୍ୟ ସୁବିଧା ଦ୍ୱାରା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏବଂ ପରବର୍ତ୍ତୀ ସମୟରେ ମନିଟରିଂ ପାଇଁ ଆଇଡିଏସପି ସର୍ଭିଲାନ୍ସ ସିଷ୍ଟମରେ ବଣ୍ଟାଯିବ।