ଅକ୍ସିଜେନର ସଠିକ ବ୍ୟବହାର ପାଇଁ ଆସିଲା ନୂଆ ଏସ୍‌ଓପି, ୯୨ରୁ ୯୪% ରହିଲେ ଆକ୍ରାନ୍ତଙ୍କୁ ଦିଆଯିବ ଅକ୍ସିଜେନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅକ୍ସିଜେନର ସଠିକ୍ ବ୍ୟବହାର ପାଇଁ ରାଜ୍ୟ ସରକାର ନୂଆ ଏସଓପି ଜାରି କରିଛନ୍ତି। ଆକ୍ରାନ୍ତଙ୍କ ଠାରେ ଅକ୍ସିଜେନର ସଦୁପଯୋଗ ସହ ଏହାର ତଦାରଖ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଗଠନ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିସନର, ମେଡିକାଲ କଲେଜର ଡିନ୍‌/ଅଧ୍ୟକ୍ଷ, ସିଡିଏମ୍ ତଥା ପିଏଚଓଙ୍କୁ ପତ୍ର ଲେଖିଛନ୍ତି।

ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ୍ ରୋଗୀଙ୍କ ଶରୀରରେ ଅମ୍ଳଜାନ୍ ସ୍ତର ୯୨ରୁ ୯୪ ପ୍ରତିଶତ ମଧ୍ୟରେ ଥିଲେ ଅମ୍ଳଜାନ ଦିଆଯାଇପାରିବ। ରୋଗୀଙ୍କ ଶରୀରରେ ଅମ୍ଳଜାନ ସ୍ତର ସ୍ୱାଭାବିକ କରିବା ପାଇଁ ଫିଜିଓଥେରାପି ଓ ଅନ୍ୟ ପଦକ୍ଷେପ ନିଆଯିବ। କେବଳ ଅମ୍ଳଜାନ ସ୍ତର ନୁହେଁ ବରଂ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ବ୍ୟକ୍ତିଗତ ସ୍ତରରେ ରୋଗୀଙ୍କୁ ଅକ୍ସିଜେନ ଥେରାପି ଦିଆଯାଇପାରିବ ବୋଲି ଉକ୍ତ ଏସଓପିରୁ ପ୍ରକାଶ ପାଇଛି। ରୋଗୀର ଆବଶ୍ୟକତା ଅନୁସାରେ ଅକ୍ସିଜେନର ପ୍ରବାହ ନିର୍ଦ୍ଧିଷ୍ଟ ସ୍ତରରେ ରଖିବା ପାଇଁ ଏସଓପିରେ କୁହାଯାଇଛି।

ନିୟମିତ ଭାବେ ଅମ୍ଳଜାନର ଉପଲବ୍ଧତା ଅନୁଯାୟୀ ଅକ୍ରାନ୍ତଙ୍କୁ ବଣ୍ଟନ ବ୍ୟବସ୍ଥା କରାଯିବ। କେତେ ଅମ୍ଳଜାନ ଉପଲବ୍ଧ ଅଛି ତାହା ଅନୁଧ୍ୟାନ କରାଯିବ ସହ ଖାଲି ଥିବା ସିଲିଣ୍ଡର ତୁରନ୍ତ ଫିଲିଂ କରାଯାଇ ଅଣାଯିବା ଉପରେ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଗୁରୁତ୍ୱ ଦେବେ।